ନୂଆଦିଲ୍ଲୀ: ପାକିସ୍ତାନର ବଲୁଚରେ ମଙ୍ଗଳବାର ବଲୁଚ ବିଦ୍ରୋହୀ ଏକ ଟ୍ରେନକୁ ଅପହରଣ କରି ନେଇଛନ୍ତି । ଟ୍ରେନରେ ୫୦୦ ଯାତ୍ରୀ ଥିବା କୁହାଯାଉଛି । ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପରାମର୍ଶଦାତା ରାଣା ସନାଉଲ୍ଲା ଟ୍ରେନ ହାଇଜ୍ୟାକକୁ ନେଇ ଭାରତ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି ।
ଏହି ଘଟଣାରେ ବଲୁଚ ବିଦ୍ରୋହୀ ସାଧାରଣ ନାଗରିକ, ମହିଳା ଓ ଶିଶୁଙ୍କୁ ମୁକ୍ତ କରିଥିବା ବେଳେ ପାକିସ୍ତାନୀ ସେନାର ଯବାନ, ଗୁଇନ୍ଦା ଏଜେନ୍ସିର ଅଧିକାରୀ ଓ ସରକାରୀ କର୍ମଚାରୀଙ୍କୁ ବନ୍ଧକ କରି ରଖିଛନ୍ତି । ସମାଚାର ଏଜେନ୍ସି ରୟଟର୍ସର ରିପୋର୍ଟ ଅନୁସାରେ, ବଲୁଚିସ୍ତାନ ଲିବେରେସନ ଆର୍ମି(ବିଏଲଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି । ବଲୁଚ ବିଦ୍ରୋହୀ ୨୧୪ ଯାତ୍ରୀଙ୍କୁ ବନ୍ଧକ କରିଥିବା ଦାବି କରିଛନ୍ତି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପରାମର୍ଶଦାତା ବଲୁଚିସ୍ତାନ ଟ୍ରେନ ଅପହରଣ ଘଟଣାକୁ ନେଇ ଭାରତ ଉପରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ରାଣା ସନାଉଲ୍ଲା ଏହି ଆକ୍ରମଣ ପଛରେ ଭାରତର ହାତ ଥିବା ଦାବି କରିଛନ୍ତି । ସେ କହିଛନ୍ତି, ଆଫଗାନିସ୍ତାନ ଭିତରେ ଭାରତ ଏହି ଆକ୍ରମଣକୁ ସଞ୍ଚାଳିତ କରୁଛି । କଣ ତେହରିକ ଏ ତାଲିବାନ ପାକିସ୍ତାନ(ଟିଟିପି) ଓ ବଲୁଚ ବିଦ୍ରୋହୀଙ୍କ ମଧ୍ୟରେ କୌଣସି ସମ୍ବନ୍ଧ ରହିଛି ? କଣ ଟିଟିପି ବଲୁଚକୁ ସମର୍ଥନ କରୁଛି ? ଏହି ସବୁ ପ୍ରଶ୍ନର ଉତ୍ତରରେ ସନାଉଲ୍ଲା କହିଛନ୍ତି, ଏହା ସବୁ ଭାରତ କରୁଛି, ଏଥିରେ କୌଣସି ସନ୍ଦେହ ନାହିଁ । ବଲୁଚ ବିଦ୍ରୋହୀଙ୍କୁ ଆଫଗାନିସ୍ତାନରେ ସୁରକ୍ଷିତ ଆଶ୍ରୟ ମିଳୁଥିବା ସେ କହିଛନ୍ତି ।
ରାଣା ସନାଉଲ୍ଲା ଏହା ମଧ୍ୟ କହିଛନ୍ତି, ଆଫଗାନିସ୍ତାନରେ ବସି ଭାରତ ପାକିସ୍ତାନ ବିରୋଧରେ ସବ ପ୍ରକାରର ଷଡଯନ୍ତ୍ର ରଚୁଛି । ପାକିସ୍ତାନର ଶତ୍ରୁ ସକ୍ରିୟ ଅଛନ୍ତି, ଏଥିରେ କୌଣସି ଦ୍ୱିମତ ନାହିଁ । ଏହା ନା କୌଣସି ରାଜନୈତିକ ପ୍ରସଙ୍ଗ ନା କୌଣସି ଏଜେଣ୍ଡାର ଅଂଶ ବିଶେଷ ।