ନୂଆଦିଲ୍ଲୀ: ସଂସଦ ଉଭୟ ଗୃହର ମୌସୁସୀ ଅଧିବେଶନ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଆସନ୍ତା ଜୁଲାଇ ୨୦ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାର ମୌସୁମୀ ଅଧିବେଶନ ଚାଲିବ । ଭାରତ ସରକାରଙ୍କ ସୁପାରିଶ ଆଧାରରେ ଦୁଇ ସଦନର ଅଧିବେଶନ ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି । ଶନିବାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇ, ୨୦୨୬ ସୋମବାରରୁ ଆରମ୍ଭ ହେବ ଏବଂ ୧୩ ଅଗଷ୍ଟ, ୨୦୨୬ ଗୁରୁବାର ଶେଷ କାର୍ଯ୍ୟ ଦିବସ ରହିବ । ଏହି ସମୟ ମଧ୍ୟରେ, ଉଭୟ ଗୃହରେ ଦେଶର ବିଭିନ୍ନ ପ୍ରସଙ୍ଗରେ ବିତର୍କ ଏବଂ ଆଲୋଚନା ହେବ । ଏହା ସହିତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ ହୋଇପାରେ । ତେବେ ଏଥିରେ କେତୋଟି କାର୍ଯ୍ୟ ଦିବସ ରହିବ ଏବଂ କେତେ ଦିନ ଛୁଟି ରହିବ ସେ ନେଇ ବିସ୍ତୃତ ସୂଚନା ଦିଆଯାଇନାହିଁ ।
ଏହା ସହିତ ନିକଟରେ ନବ ନିର୍ବାଚିତ ହୋଇଥିବା ରାଜ୍ୟସଭା ସଦସ୍ୟମାନେ ଶପଥ ଗ୍ରହଣ କରିବେ । ତେବେ ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସେହିପରି ପୂର୍ବ ସ୍ୱତନ୍ତ୍ର ଅଧିବେଶନରେ ମାତ ଖାଇଥିବା ମହିଳା ସଂରକ୍ଷଣ ବିଲକୁ ସରକାର ପୁଣି ଥରେ ପାରିତ କରିବାକୁ ଚେଷ୍ଟା କରିପାରନ୍ତି ।