ନୂଆଦିଲ୍ଲୀ: ଜାରରେ ମିଳୁଥିବା ଇଥାନଲ୍ ମିଶ୍ରିତ ପେଟ୍ରୋଲ୍କୁ ନେଇ ସାଧାରଣ ଗାଡ଼ି ଚାଳକଙ୍କ ମନରେ ଅନେକ ପ୍ରଶ୍ନ ଓ ଆଶଙ୍କା ସୃଷ୍ଟି ହେଉଛି। କ’ଣ ଇଥାନଲ୍ ବ୍ଲେଣ୍ଡିଂ ପେଟ୍ରୋଲ୍ ବ୍ୟବହାର କରିବା ଦ୍ୱାରା ଗାଡ଼ିର ମାଇଲେଜ୍ କମିଯାଉଛି? ଏହା ଦ୍ୱାରା ଆପଣଙ୍କ ଦାମୀ ଗାଡ଼ିର ଇଞ୍ଜିନ ଖରାପ ହେଉନାହିଁ ତ? ଏଭଳି ସମସ୍ତ ପ୍ରଶ୍ନର ଉତ୍ତର ରଖିଛି ସରକାରୀ ସ୍ତରରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରେସ୍ କନଫରେନ୍ସ। ଏଥିରେ ଦେଶର ବଡ଼ ବଡ଼ ଶିଳ୍ପ ବିଶେଷଜ୍ଞମାନେ ଯୋଗଦେଇ ଗାଡ଼ି ଚାଳକଙ୍କ ସମସ୍ତ ଭ୍ରମ ଦୂର କରିଛନ୍ତି।
ରାତାରାତି ନିଆଯାଇନାହିଁ ଏହି ନିଷ୍ପତ୍ତି
ଏହି ସାମ୍ବାଦିକ ସମ୍ମିଳନୀରେ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ (EIL)ର ପୂର୍ବତନ ସିଏମଡି ବର୍ତ୍ତିକା ଶୁକ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ଇଥାନଲ୍ ମିଶ୍ରଣ କରିବାର ନିଷ୍ପତ୍ତି ହଠାତ୍ କିମ୍ବା ବିନା ଚିନ୍ତାଭାବନାରେ ନିଆଯାଇନାହିଁ। ଏହା ପଛରେ ଦୀର୍ଘ ଦିନର ବଡ଼ ବଡ଼ ଗବେଷଣା ଏବଂ ପରୀକ୍ଷା ନିରୀକ୍ଷା ଜଡ଼ିତ ରହିଛି। ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଏବଂ ସମସ୍ତ ସୁରକ୍ଷାକୁ ଯାଞ୍ଚ କରିବା ପରେ ହିଁ ଏହାକୁ ସାରା ଦେଶରେ ଲାଗୁ କରାଯାଇଛି।
ଗାଡ଼ିର ମାଇଲେଜ୍ ଉପରେ କେତେ ପଡ଼ିବ ପ୍ରଭାବ?
ବିଶେଷଜ୍ଞ ପ୍ୟାନେଲ୍ଙ୍କ ମତରେ, ଶୁଦ୍ଧ ପେଟ୍ରୋଲ୍ ତୁଳନାରେ ଇଥାନଲ୍ରେ ଶକ୍ତି ସାମାନ୍ୟ କମ୍ ଥାଏ। ତେଣୁ ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ବ୍ୟବହାର କଲେ ଗାଡ଼ିର ମାଇଲେଜ୍ରେ ମାତ୍ର ୩ ପ୍ରତିଶତ ପର୍ଯ୍ୟନ୍ତ ସାମାନ୍ୟ ହ୍ରାସ ଘଟିପାରେ। କିନ୍ତୁ ଏହି ପରିମାଣ ଏତେ କମ୍ ଯେ ଦୈନନ୍ଦିନ ଗାଡ଼ି ଚଲାଇବା ସମୟରେ ଚାଳକଙ୍କୁ ଏହା ଆଦୌ ଅନୁଭୂତ ହେବନାହିଁ।
ଅନ୍ୟପଟେ, ଏହି ସାମାନ୍ୟ ମାଇଲେଜ୍ କମିବା ବଦଳରେ ଦେଶକୁ ଏକ ବଡ଼ ଫାଇଦା ମିଳୁଛି। ଏହାଦ୍ୱାରା ବିଦେଶରୁ ପେଟ୍ରୋଲ୍ ଆମଦାନୀ ଉପରେ ଦେଶର ନିର୍ଭରଶୀଳତା କମୁଛି, ଭାରତୀୟ ଚାଷୀଙ୍କ ଆୟ ବୃଦ୍ଧି ପାଉଛି ଏବଂ ସବୁଠାରୁ ବଡ଼ କଥା ହେଉଛି ପ୍ରଦୂଷଣ ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଉଛି। ତେଣୁ ଏହି ସବୁ ବଡ଼ ଲାଭ ଆଗରେ ମାଇଲେଜ୍ର ସାମାନ୍ୟ ପରିବର୍ତ୍ତନ ନଗଣ୍ୟ ଅଟେ।
ଇଞ୍ଜିନ ଉପରେ କିଛି ଖରାପ ପ୍ରଭାବ ପଡ଼ିବ କି?
ଇଞ୍ଜିନର ସୁରକ୍ଷାକୁ ନେଇ ଚାଲିଥିବା ଗୁଜବ ଉପରେ ବିଶେଷଜ୍ଞମାନେ ସ୍ପଷ୍ଟୀକରଣ ଦେଇଛନ୍ତି। ବର୍ତ୍ତମାନ ବଜାରରେ ଉପଲବ୍ଧ E20 ଇନ୍ଧନକୁ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ (BIS)ର କଡ଼ା ନିୟମ ଅନୁଯାୟୀ ପ୍ରସ୍ତୁତ କରାଯାଉଛି। ଏହା ଆଧୁନିକ BS-6 ଇଞ୍ଜିନ ସହିତ ପୁରୁଣା ମଡେଲ୍ର ଗାଡ଼ି ଗୁଡ଼ିକ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଉପଯୁକ୍ତ। ଏହାଦ୍ୱାରା ଗାଡ଼ିର ଇଞ୍ଜିନ ଆୟୁଷ କିମ୍ବା କାର୍ଯ୍ୟଦକ୍ଷତାଉପରେ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ, କାରଣ ଏହି ଇନ୍ଧନରେ ଏବେ ମଧ୍ୟ ୮୦ ପ୍ରତିଶତ ପାରମ୍ପରିକ ଜୀବାଶ୍ମ ଇନ୍ଧନ ବା ଫସିଲ୍ ଫ୍ୟୁଲ୍ ରହିଛି। ତେଣୁ ଗାଡ଼ି ଚାଳକମାନେ କୌଣସି ଆଶଙ୍କା ନକରି ଏହାର ବ୍ୟବହାର କରିପାରିବେ।