ଭୁବନେଶ୍ୱର: ପାକିସ୍ଥାନ ସହିତ ଯୁଦ୍ଧ ବିରତି ନିମନ୍ତେ ବିଚାରକୁ ମୋହର ଲାଗିବା ପରେ ବି ସୁଧୁରିଲାନି ପାକିସ୍ଥାନ । ଏନେଇ କଂଗ୍ରେସ ଏମପି ଶଶୀ ଥରୁର୍ ବ୍ୟଙ୍ଗାତ୍ମକ ଭାବେ ପଡ଼ୋଶିକୁ ଟ୍ୱିଟ ମାଧ୍ୟମରେ କଟାକ୍ଷ କରିଛନ୍ତି । "Uski fitrat hail mukar jaane ki, uske wade pe yakin kaise karun?" ( ଧୋକା ଦେବା ତାହାର ଗୁଣ, ତାର ପ୍ରତିଜ୍ଞା ଉପରେ କିପରି ବିଶ୍ୱାସ କରିବି ) ଏହା ଲେଖି ଥିଲେ କଂଗ୍ରେସ ନେତା ଶ୍ରୀ ଥରୁର୍ ।
ସୂଚନା ଅନୁଯାୟୀ ଶନିବାର ରାତିରେ ଅସ୍ତ୍ରବିରତିର କିଛି ଘଣ୍ଟା ମଧ୍ୟରେ ହିଁ ପୁନର୍ବାର ଭାରତର ସୀମାରେ ପାକିସ୍ଥାନ ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା । ଏହି ଟ୍ୱିଟ କରିବାର କିଛି ଘଣ୍ଟା ଆଗରୁ ଶ୍ରୀ ଥରୁର୍ PTIକୁ ଦେଉଥିବା ସାକ୍ଷାତକାରରେ କହିଥିଲେ, "ଶାନ୍ତିର ଆବଶ୍ୟକତା ରହିଛି । ଏହି ଶାନ୍ତି ଚୂକ୍ତି ପାଇଁ ମୁଁ ଆନନ୍ଦିତ ଏବଂ ଏନେଇ ଆହୁରି ସୂଚନା ଆବଶ୍ୟକ ରହିଛି ।" ସେ ଏହା ସହ ଆହୁରି ମଧ୍ୟ କହିଥିଲେ ଭାରତ କେବେ ଦୀର୍ଘ ମିଆଦୀ ଯୁଦ୍ଧ ଚାହେଁ ନାହିଁ । କିନ୍ତୁ ଆତଙ୍କବାଦୀ ମାନଙ୍କୁ ଶିକ୍ଷାଦେବା ନିମନ୍ତେ ଏହା ଆବଶ୍ୟକ ଥିଲା ।
ଥରୁର୍ ଅପରେସନ ସିନ୍ଦୁରକୁ ସମର୍ଥନ ଜଣାଇଥିଲେ । ସେ ଏହି ଅପରେସନ୍ ର ନାମକରଣ ଓ ଚିତ୍ରକୁ ଖୁବ ପ୍ରସଂଶା କରିଥିଲେ । ଅପରେସନ ସିନ୍ଦୁରକୁ ଏକ ଚମତ୍କାର ନାମ ଭାବେ ଅଭିହିତ କରିଥିଲେ । ଏହା ସହ ପହଲଗାମ ଠାରେ ସେଦିନ ହୋଇଥିବା ଅମାନବୀୟ ଘଟଣାକୁ ମାନେ ପକାଇଥିଲେ ।
ଅପରେସନ ସିନ୍ଦୁର ମେ ୭ ତାରିଖରେ ଗ୍ରହଣ କରାଯାଇଥିଲା । ପାକିସ୍ଥାନ ଅଧିକୃତ କାଶ୍ମୀର ଓ ପାକିସ୍ଥାନର ପ୍ରମୁଖ ଏୟାରବେସ ଗୁଡିକ ଉପରେ ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା । ଏହି ଅପରେସନ ଦ୍ୱାରା ୨୦୦ ରୁ ଅଧିକ ଆତଙ୍କବାଦୀ ମୂଳପୋଛ ହୋଇଯାଇଥିବା ପ୍ରକାଶ କରାଯାଇଛି ।