ଶ୍ରୀନଗର: କାଠୁଆରେ ସେନାର ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ପରେ ମଙ୍ଗଳବାର ଡୋଡା ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଛି। ସୁରକ୍ଷାବାହିନୀର ଯବାନମାନେ ଜଙ୍ଗଲକୁ ଘେରିଛନ୍ତି। ଆତଙ୍କବାଦୀଙ୍କ ସଂଖ୍ୟାରୁ ୨ରୁ ୩ ଜଣ ଥିବା ଜଣାପଡ଼ିଛି। ଜିଲ୍ଲା ମୁଖ୍ୟାଳୟ ଠାରୁ ୨୧ କିଲୋମିଟର ଦୂର ସଜ୍ଜାନ ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଲାଲ ଦ୍ରମଣ ମଝିରେ ଏହି ଗୁଳିବିନିମୟ ହୋଇଛି।
ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା ଯେ, ଏହି ଘଂଚ ଜଙ୍ଗଲ ଭିତରେ କିଛି ସନ୍ଦିଗ୍ଧ ଲୋକେ ଚଳପ୍ରଚଳ କରୁଛନ୍ତି। ଏହି ସୂଚନା ଆଧାରରେ ସେନା, ସିଆରପିଏଫ, ଏସଓଜି ଓ ଜିଲ୍ଲା ପୁଲିସ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ବର୍ଷା କରିଥିଲେ। ଏହା ପରେ ଯବାନମାନେ ଜବାବୀ କାର୍ଯ୍ୟାନୁଷ୍ଠାନ ଦେଇଥିଲେ। ଏଠାରେ ଗୁଳିର ଶବ୍ଦ ଶୁଭୁଥିବା ଜରେ ସ୍ଥାନୀୟ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେହିପରି ଅନ୍ୟ ଏକ ଘଟଣାରେ ଜମ୍ମୁ ଜୋନ୍ର ପୁଞ୍ଝରେ ନିୟନ୍ତ୍ରଣ ରେଖା (ଏଲ୍ଓସି) ଅତିକ୍ରମ କରି ୨ଥର ପାକିସ୍ତାନୀ ଡ୍ରୋନ୍ ଅନୁପ୍ରବେଶ ଉଦ୍ୟମ କରିଥିଲା। ସତର୍କ ସେନାର ଯବାନମାନେ ଭାରତୀୟ କ୍ଷେତ୍ରରେ ଘୁରିବୁଲୁଥିବା ଡ୍ରୋନ୍ ଉପରେ ଗୁଳି କରିଥିଲେ। ଏହା ପରେ ପାକିସ୍ତାନକୁ ଡ୍ରୋନ୍ ଫେରିଯାଇଥିଲା।
ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଘାଟି ସେକ୍ଟରରେ ରାତି ପାଖାପାଖି ୯ଟା ୧୫ରେ ପାକିସ୍ତାନୀ ଡ୍ରୋନ୍ ଦେଖାଯାଇଥିଲା। ତୁରନ୍ତ ଅଧିକାରୀମାନଙ୍କୁ ଏନେଇ ସୂଚନା ପ୍ରଦାନ କରାଯାଇଥିଲା। ଏହାକୁ ଗୁଳିମାଡ଼ କରି ଖସାଇବାକୁ ଉଦ୍ୟମ ମଧ୍ୟ କରାଯାଇଥିଲା। ଫଳରେ ପାକିସ୍ତାନୀ ଡ୍ରୋନ୍ ଫେରିଯାଇଥିଲା।