ଶ୍ରୀନଗର: ଜମ୍ମୁ କଶ୍ମୀରର ଉରୀ ସେକ୍ଟରରେ ଜାରି ଥିବା ଅନୁପ୍ରବେଶକାରୀ ବିରୋଧୀ ଅଭିଯାନ ସମୟରେ ରବିବାର ସୁରକ୍ଷାବାହିନୀର ଯବାନମାନେ ୨ ଜଣ ଆତଙ୍କାବଦୀଙ୍କୁ ନିପାତ କରିଛନ୍ତି। ସୁରକ୍ଷାବାହିନୀର ଯବାନମାନେ ୨ ଜଣ ଆତଙ୍କବାଦୀଙ୍କ ମୃତଦେହ, ଅସ୍ତ୍ର ଓ ଗୁଳି ଜବତ କରିଛନ୍ତି। ଏହି ଅଞ୍ଚଳରେ ଆହୁରି ଆତଙ୍କବାଦୀମାନେ ଲୁଚି ଥିବା ସନ୍ଦେହରେ ଯବାନମାନଙ୍କର ସର୍ଚ୍ଚ ଅପରେଶନ ଜାରି ରହିଛି। ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷାବାହିନୀର ଯବାନମାନେ ସୀମା ଅତିକ୍ରମ ପାଇଁ ଉଦ୍ୟମ କରୁଥିବା ଆତଙ୍କାବାଦୀଙ୍କର ଏକ ଗୋଷ୍ଠୀକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ଗୋଷ୍ଠୀଙ୍କୁ ଟାର୍ଗେଟ କରି ଯବାନମାନେ ଗୁଳି କରିଥିଲେ। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଆତଙ୍କାବଦୀମାନେ ଲୁଚିଥିବା ସନ୍ଦେହ କରାଯାଉଛି।
ସେନାର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଶନିବାର ଉତ୍ତର କଶ୍ମୀରର ଉରୀ ସେକ୍ଟରର ଗୋହାଲନ ଅଞ୍ଚଳରେ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦିଗ୍ଧମାନଙ୍କର ଗତିବିଧି ଦେଖାଯାଇଥିଲା। ନିହତ ହେବା ପୂର୍ବରୁ ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି କରିଥିଲେ। ଏହା ପରେ ସେନାର ଯବାନମାନେ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଉଭୟ ପକ୍ଷରୁ କିଛି ସମୟ ପର୍ଯ୍ୟନ୍ତ ଗୁଳିବିନିମୟ ହୋଇଥିଲା। ଏହି ଅପରେଶନରେ ୨ ଜଣ ନକ୍ସଲ ନିହତ ହୋଇଥିଲେ। ସେମାନଙ୍କର ମୃତଦେହ ମିଳିଥିଲା।
ଏହା ପୂର୍ବରୁ ମଧ୍ୟ ଉତ୍ତରକଶ୍ମୀରର ସୋପୋରରେ ଜୁନ ୧୯ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଥିଲେ। ଏହି ଏନ୍କାଉଣ୍ଟରରେ ମଧ୍ୟ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଗତ ଜୁନ ୯ ତାରିଖରେ ଜମ୍ମୁ କଶ୍ମୀରର ରିୟାସୀରେ ଆତଙ୍କବାଦୀମାନେ ତୀର୍ଥଯାତ୍ରୀମାନଙ୍କୁ ନେଇ ବୈଷ୍ଣୋଦେବୀ ଯାଉଥିବା ବସ୍ ଉପରେ ଆକ୍ରମଣ କରିଥିଲେ। ଏଥିରେ ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୩୦ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ।