ବୁଧବାର ଠାରୁ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ସହିଦଙ୍କ ସଂଖ୍ୟା ୪ ରେ ପହଞ୍ଚିଛି । ପୂର୍ବରୁ ଏହି ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୋଲିସ୍ର ଜଣେ ଡିଏସ୍ପି ସହିଦ ହୋଇଛନ୍ତି ।
ଏପଟେ ଏ ଘଟଣା ପରେ ପାକିସ୍ତାନ ଠାରୁ ସବୁ ପ୍ରକାରର ସଂପର୍କ ଛିନ୍ନ କରିବାକୁ ସବୁ ମହଲରେ ଉଠିଛି ଦାବି । ସିନେମାଠୁ ଆରମ୍ଭ କରି କ୍ରିକେଟ୍ ଯାଏଁ, ସବୁକିଛି ଅଲଗା ପରେ ହିଁ ପାକିସ୍ତାନ ବୁଦ୍ଧି ଶିଖିବ ବୋଲି କହିଛନ୍ତି ପୂର୍ବତନ ସେନା ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ଭି.କେ. ସିଂ । ଅନ୍ୟପଟେ ଶିବସେନା ଉଦ୍ଧବ ଗୋଷ୍ଠୀ ବି ଏହି ମନ୍ତବ୍ୟକୁ ସମର୍ଥନ କରିଛି । ଭାରତ-ପାକିସ୍ତାନ ମ୍ୟାଚ୍କୁ ରଦ୍ଦ କରିବା ସହ ସବୁ ପ୍ରକାର ସମ୍ପର୍କ ଭାଙ୍ଗିବାକୁ ଦାବି କରିଛି ଦଳ । କାଶ୍ମୀରରେ ପାକିସ୍ତାନର ଆତଙ୍କୀ ଗତିବିଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି ।
ଅନ୍ୟପଟେ ଜମ୍ମୁ କାଶ୍ମୀର ଅନନ୍ତନାଗରେ ହୋଇଥିବା ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି । ଅନନ୍ତନାଗରେ ଆଜି ମଧ୍ୟ ଅପରେସନକୁ ଜୋରଦାର କରିଛି ସେନା । ତନ ତନ ଭାବେ ଯାଞ୍ଚ କରାଯିବା ସହ କମ୍ବିଂକୁ ଆହୁରି କଡ଼ାକଡ଼ି କରାଯାଇଛି । ଡ୍ରୋନ୍ ସାହାଯ୍ୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଉଛି । ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସେନା ପକ୍ଷରୁ ଏହି ଅଞ୍ଚଳରୁ ଘେରାବନ୍ଦୀ କରି ରଖାଯାଇଛି । ଏବେବି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଯାହା ସୂଚନା ରହିଛି ଏହି ବଡ ଧରଣର ଅପରେସନରେ ଶତ୍ରୁକୁ କଡା ଜବାବ ଦେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ସେନା ।