ନୂଆଦିଲ୍ଲୀ: ରୁଷର ରାଜଧାନୀ ମସ୍କୋରେ ଆୟୋଜିତ ୨୨ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଏଥି ପାଇଁ ସେ ସୋମବାର ଦୁଇଦିନିଆ ଗସ୍ତ କରିଛନ୍ତି। ଏହି ଗସ୍ତକାଳରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ଙ୍କ ସହିତ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରିବେ। ବୈଠକରେ ଶକ୍ତି, ପ୍ରତିରକ୍ଷା, ପୁଞ୍ଜିନିବେଶ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ର ଉପରେ ଆଲୋଚନା ହେବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ସେନାରେ ୟୁକ୍ରେନ ସହ ଯୁଦ୍ଧ ଲଢୁଥିବା ଭାରତୀୟଙ୍କୁ ମୁକ୍ତ କରିବା ପ୍ରସଙ୍ଗ ଉଠାଇ ପାରନ୍ତି। ତେବେ ମୋଦୀ-ପୁଟିନଙ୍କ ମଧ୍ୟରେ ଆଲୋଚନା ହେବା ପୂର୍ବରୁ ରୁଷରେ ଉତ୍ସାହ ଦେଖାଯାଇଛି।
ଭାରତୀୟ ବଂଶୋଦ୍ଭବ ଚକ୍ରାମଣୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖି ମୁଁ ଉତ୍ସାହିତ। ସେ ଆମକୁ ସବୁବେଳେ ସହଯୋଗ କରିଆସୁଛନ୍ତି। ତାଙ୍କୁ ଦେଖିବା ପାଇଁ ଆମେ ଭୋର ସକାଳୁ ଉଠିଥିଲୁ। ସେ ମସ୍କୋ ଆସିଥିବାରୁ ଧନ୍ୟବାଦ ଜଣାଉଛୁ। ଅନ୍ୟ ଜଣେ ଭାରତୀୟ କହିଛନ୍ତି, ମୁଁ ନୂଆଦିଲ୍ଲୀରୁ ଆସିଛି। କିଛି ବର୍ଷ ହେଲା ମୁଁ ମସ୍କୋରେ ରହି ପାଠପଢୁଛି। ମୋଦୀଙ୍କ ଗସ୍ତ ନେଇ ଆମେ ବହୁତ ଉତ୍ସାହିତ ଅଛୁ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ନେଇ ରୁଷ ସମେତ ଭାରତୀୟମାନେ ଉତ୍ସାହିତ ଦେଖାଯାଇଛନ୍ତି। ଦ୍ବିପାକ୍ଷିକ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସଂପ୍ରଦାୟଙ୍କୁ ଭେଟିବେ। ଏହି ଅବସରରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ମସ୍କୋରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପୂର୍ବରୁ ରୁଷର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିଛନ୍ତି।