ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ରାଜକୀୟ ନୈଶ୍ୟ ଭୋଜନର ଆୟୋଜନ କରାଯାଇଛି । ଏଥିରେ ଖାଇବା ଟେବୁଲରେ ଦୁଇ ଦେଶର ପ୍ରସିଦ୍ଧ ବ୍ୟଞ୍ଜନ ସ୍ୱାଦିଷ୍ଟ ଖ୍ୟାଦର ସଙ୍ଗମ ଦେଖିବାକୁ ମିଳିଛି । ଏହି ନୈଶ୍ୟ ରାତ୍ର ଭୋଜନରେ ପୁଟିନ ଏବଂ ତାଙ୍କର ସମସ୍ତ ପ୍ରତିିନିଧିମଣ୍ଡଳର ସଦସ୍ୟ ଉପସ୍ଥିତ । ଏଥିରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ସହିତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ସାମିଲ୍ । ଉଦ୍ୟୋଗପତି, ରାଜନୈତିକ ଓ ସାଂସ୍କୃତିକ ସମେତ ଭିନ୍ନ ଭିନ୍ନ କ୍ଷେତ୍ରରୁ ପ୍ରାୟ ୧୫୦ରୁ ଅଧିକ ବ୍ୟକ୍ତି ନୈଶ୍ୟ ଭୋଜିରେ ସାମିଲ ଥିଲେ ।
ଋାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିବୃତି ଅନୁସାରେ ଯେବେ ପୁଟିନ ନିଜର ପ୍ରତିନିଧିମଣ୍ଡଳ ସହ ରାଷ୍ଟ୍ରପତି ଭବନ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ପୁଟିନଙ୍କ ସ୍ୱାଗତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଭାରତ-ରୁଷର ଘନିଷ୍ଠ ଏବଂ ସ୍ୱତନ୍ତ୍ର ସହଭାଗିତା ପାଇଁ ରାଷ୍ଟ୍ରପତି ପୁଟିନଙ୍କ ପ୍ରଶଂସା କରିଛନ୍ତି । ଭାରତ ଓ ରୁଷର ନେତା ଭରସା ପ୍ରକଟ କରିଛନ୍ତି ଯେ, ଭାରତ ଓ ରୁଷର ବନ୍ଧୁତା ଆଗାମୀ ଦିନରେ ଆହୁରି ମଜବୁତ ହେବ ।
ସୂତ୍ର ମୁତାବକ ଏହି ଭୋଜନରେ ରୁଷର ବୋରଶ୍ଚ ଓ କାଶ୍ମୀରୀ ବାଜବାନ ପରି ବ୍ୟଞ୍ଜନ ସାମିଲ୍ ଥିଲା । ରାତ୍ର ଭୋଜନ ସମୟରେ ଜଏଣ୍ଟ ମିଲିଟାରୀ ବ୍ୟାଣ୍ଡ ଭାରତ ଓ ରୁଷର ପ୍ରସିଦ୍ଧ ସଙ୍ଗୀତ ପରିବେଷଣ ହୋଇଛି । ଉଲ୍ଲେଖନୀୟ ୨୦୧୮ରେ ଯେବେ ପୁଟିନ ଭାରତ ଗସ୍ତରେ ଆସିଥିଲେ, ସେହି ସମୟରେ ହାଇଦ୍ରାବାଦ ହାଉସରେ ରାତ୍ରଭୋଜନର ଆୟୋଜନ କରାଯାଇଥିଲା । ଏଥିର ଆମିଷ ଏବଂ ନିରାମିଷ ଭୋଜନ ପରସା ଯାଇଥିଲା । ୭୩ ବର୍ଷୀୟ ପୁଟିନ ସାଧାରଣତଃ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି । ରାଷ୍ଟ୍ରପତି ଭବନରେ ରାତ୍ରଭୋଜନ ପରେ ରାଷ୍ଟ୍ରପତି ପୁଟିନ ନିଜର ଯାତ୍ରା ସମାପ୍ତ କରି ମସ୍କୋ ଅଭିମୁଖେ ଫେରିଯିବେ ।
Also read: ଭାରତ-ରୁଷ ସମ୍ପର୍କ ଧ୍ରୁବ ତାରା ସଦୃଶ, ଆତଙ୍କବାଦ ଉପରେ ହେବ ପ୍ରହାର, ଜାରି ରହିବ ତୈଳ ପରିବହନ