ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆଜି ଦ୍ୱିତୀୟ ଦିବସ । ପୁଣି ଥରେ ଦୁଇ ଦେଶ ପରସ୍ପରର ସମ୍ପର୍କକୁ ମଜବୁତ କରିବା ଏବଂ ପରସ୍ପରର ବିକାଶ ପାଇଁ ଆର୍ଥିକ ସହଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି । ଭାରତ-ରୁଷ ମଧ୍ୟରେ ୭ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରବାସୀ, ସ୍ୱାସ୍ଥ୍ୟ ସେବା ଓ ଡାକ୍ତରୀ ଶିକ୍ଷା, ଖାଦ୍ୟ ସୁରକ୍ଷା, ସାମୁଦ୍ରିକ କ୍ଷେତ୍ରେ ସହଯୋଗ, ଫର୍ଟିଲାଇଜର୍, ଜାହାଜ ନିର୍ମାଣ ଓ ଅସ୍ଥାୟୀ ଶ୍ରମ ଗତିବିଧି ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ପୁତିନ ଚୁକ୍ତି ପତ୍ର ଆଦାନ ପ୍ରଦାନ କରିଛନ୍ତି ।
ଭାରତ ଯାତ୍ରାରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବାପୁଙ୍କ ସମାଧିରେ ପରିକ୍ରମା କରିଛନ୍ତି । ରାଜଘାଟର ସ୍ମାରିକାରେ ପୁତିନ ଦସ୍ତଖତ ମଧ୍ୟ କରିଛନ୍ତି । ଏହା ପରେ ରାଷ୍ଟ୍ରପତି ଭାବନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପୁତିନ ସିଧାସଳଖ ହାଇଦ୍ରାବାଦ ହାଉସ ପହଞ୍ଚିଥିଲେ ଏବଂ ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ଏବଂ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଚୁକ୍ତି ସ୍ୱାକ୍ଷରିତ ପରେ ଦୁଇ ଶୀର୍ଷ ନେତୃତ୍ୱ ପୁତିନ ଏବଂ ମୋଦୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରିଛନ୍ତି । ଭାରତ ରୁଷ ନାଗରିକଙ୍କ ପାଇଁ ବିନା ଶୁଳ୍କରେ ଇ-ଟୁରିଷ୍ଟ ଭିଜା ଲାଗୁ କରିବାକୁ ଘୋଷଣା କରିଛି । ଯାହାର ବୈଧତା ଏକ ମାସ ପାଇଁ ରହିବ । ସେହିପରି ରୁଷ ମଧ୍ୟ ବିନା ଦ୍ୟୁଧାରେ ଭାରତକୁ ତୈଳ ପରିବହନ ଜାରି ରଖିବ ବୋଲି ଘୋଷଣା କରିଛି ।
ଯେଉଁ ୭ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି ସେଗୁଡ଼ିକ ହେଲା ପ୍ରବାସନ ଏବଂ ସହଭାଗିତା ଚୁକ୍ତି (Agreement on Cooperation and Migration), ଅସ୍ଥାୟୀ ଶ୍ରମ ଗତିବିଧି (Temporary labour activites), ସ୍ୱାସ୍ଥ୍ୟ ସେବା ଓ ମେଡ଼ିକାଲ ଶିକ୍ଷା (Agreement on Healthcare and Medical Education), ଖାଦ୍ୟ ସୁରକ୍ଷା ଏବଂ ମାନକ (Agreement on Food Safety and Sandards), ପୋଲାର୍ ଜାହାଜ (Agreement on Polar Ships), ସାମୁଦ୍ରିକ ସହଯୋଗ (Agreement on Meritime Cooperation), ଏବଂ ଫର୍ଟିଲାଇଜର୍ (Agreement on Fertilizer) ।