ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ଉଡ଼ାଣରେ ଚାରି ଦିନର ଅଚଳାବସ୍ଥା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ନିଜ ନିଷ୍ପତ୍ତିରୁ ଓହରିଛି । ବିମାନ ଚାଳକଙ୍କୁ ସାପ୍ତାହିକ ବିଶ୍ରାମ ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିଛି ଡିଜିସିଏ । ବିଭିନ୍ନ ବିମାନ କମ୍ପାନୀରୁ କାର୍ଯ୍ୟ ପରିଚାଳନାରେ ବାଧାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ଉପରେ ସମୀକ୍ଷା କରାଯିବ ବୋଲି ଡିଜିସିଏ କହିଛି । ନିରନ୍ତର ବିମାନ ସେବା ଓ ସ୍ଥିରତା ଆଣିବାକୁ ନିଷ୍ପତ୍ତି ହୋଇଛି ।
ଦୀର୍ଘ ଚାରି ଦିନ ହେବ ଇଣ୍ଡିଗୋ ବିମାନ ଉଡ଼ାଣକୁ ବାତିଲ କରାଯାଉଛି । ପ୍ରାୟ ୯୦୦ରୁ ଅଧିକ ଉଡ଼ାଣ ବାତିଲ କରାଯାଇଛି । ଆଜି ମଧ୍ୟ ଦେଶ ବ୍ୟାପୀ ୪୦୦ ବିମାନ ବାତିଲ କରାଯାଇଛି । ପ୍ରଥମେ ବିମାନ ବିଳମ୍ବ ଏବଂ ବାତିଲ କରାଯାଉଛି । ଯାହା ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଁଚିଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଯୋଗୁଁ ଯାତ୍ରୀମାନେ ବିମାନ ବନ୍ଦରରେ ଅସନ୍ତୋଷ ଜାହିର କରୁଛନ୍ତି ।
ଇଣ୍ଡିଗୋ ସ୍ୱୀକାର କରିଛି ଯେ ନୂତନ ନିୟମ ଯୋଗୁଁ କ୍ର୍ୟୁ ଆବଶ୍ୟକତା ଅଭାବ ରହୁଛି । ଏହା ସହିତ, ଶୀତ, ଯାନ୍ତ୍ରିକ ସମସ୍ୟା ଏବଂ କର୍ମଚାରୀ ଅଭାବ ଉଡ଼ାଣକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ନୂତନ ନିୟମ ପାଳନ ପାଇଁ ଆଉ ତିନି ମାସ ସମୟ ଦେବାକୁ ଇଣ୍ଡିଗୋ ଡିଜିସିଏକୁ ଅନୁରୋଧ କରିଥିଲା ।