ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭାରେ ସ୍ୱାସ୍ଥ୍ୟ ସୁରକ୍ଷାରୁ ଜାତୀୟ ସୁରକ୍ଷା ସେସ୍ ବିଧେୟକ ପାରିତ ହୋଇଯାଇଛି । ଏହି ବିଧେୟକ ଆଇନରେ ପରିଣତ ହେବା ପରେ ପାନ ମସଲା, ଗୁଟୁଖା ଏବଂ ସିଗାରେଟ୍ ଭଳି ଉତ୍ପାଦଗୁଡ଼ିକ ଉପରେ ନୂତନ କର ଲାଗୁ ହେବ । ଏହି ବର୍ଦ୍ଧିତ କରରୁ ଯେଉଁ ଅର୍ଥରାଶି ଆସିବ ତାହାକୁ ଜାତୀୟ ସୁରକ୍ଷାରେ ବିନୋଯୋଗ କରାଯିବ ବୋଲି ଶୁକ୍ରବାର ସଂସଦକୁ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ।
ପ୍ରସ୍ତାବ ଆଗତ ବେଳେ ଲମ୍ବା ସମୟ ଧରି ଲୋକସଭା ଗୃହରେ ଚର୍ଚ୍ଚା ହୋଇଥିଲା । ଦୁଇ ଦିନର ଆଲୋଚନା ପରେ ବିଧେୟକ ପାରିତ ହୋଇଛି । କେନ୍ଦ୍ର ମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଅର୍ଥ ଅଭାବ ସମୟରେ କାର୍ଗିଲ ଯୁଦ୍ଧର ପ୍ରସ୍ତୁତି ହୋଇଥିଲା । ଆର୍ମି ଜେନେରାଲଙ୍କ ମୁତାବକ ୧୯୯୦ ମସିହାର ପ୍ରାରମ୍ଭରେ ବଜେଟ୍ ଅଭାବ ଯୋଗୁଁ ସେନା ପାଖରେ ମାତ୍ର ୭୦-୮୦ ପ୍ରତିଶତ ସ୍ୱୀକୃତିପ୍ରାପ୍ତ ଅସ୍ତ୍ରଶସ୍ତ୍ର, ଗୋଳା ବାରୁହ ଏବଂ ଅନ୍ୟାନ୍ୟ ସରଞ୍ଜାମ ଥିଲା । ତେଣୁ ଭାରତରେ ସେଭଳି ପରିସ୍ଥିତି ଆଉ କେବେ ନ ଆସୁ ବୋଲି ଚାହୁଁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ବିଧେୟକ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ରାସ୍ତା ଖୋଲିବ । ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ ବିପଦକୁ କମ୍ କରିବା ମନ୍ତ୍ରଣାଳୟର ଲକ୍ଷ୍ୟ ରହିଛି । ଅନେକ ପ୍ରସଙ୍ଗ ଉପରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଆଜିର ଦୁନିଆରେ ହାଇଟେକ୍ ଯୁଦ୍ଧର ସମୟ । ସଠିକ୍ ଅସ୍ତ୍ରଶସ୍ତ୍ର, ମହାକାଶ ସମ୍ପତ୍ତି ଏବଂ ସାଇବର ଅପରେସନ୍ ଭଳି କ୍ଷେତ୍ରଗୁଡ଼ିକ ବହୁତ ମହଙ୍ଗା। ଭାରତ କାରଗିଲରେ କ୍ଷତି ସହିଥିଲା କାରଣ ବଜେଟ୍ ସୀମାବଦ୍ଧତା ଯୋଗୁଁ ସାମରିକ ବାହିନୀ ପାଖରେ କେବଳ ୭୦ ରୁ ୮୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ଥିଲା । ଦେଶ ପୁଣି ଥରେ ସେହି ପରିସ୍ଥିତିକୁ ଯିବାକୁ ଚାହୁଁନି ।
ଏହି ସେସ୍ ସମ୍ପୂର୍ଣ୍ଣ ଭାବରେ ସଂସଦର କ୍ଷମତା ଅଧୀନରେ ଆସେ। ହାର ନିର୍ଦ୍ଧାରଣ ଠାରୁ ଆରମ୍ଭ କରି ଆବଣ୍ଟନ ପର୍ୟ୍ୟନ୍ତ ପ୍ରତ୍ୟେକ ପ୍ରକ୍ରିୟା ଗୃହର ଅନୁମୋଦନ ଅଧୀନରେ ରହିବ। ଧାରା ୭ ସ୍ପଷ୍ଟ ଭାବରେ ସମଗ୍ର ଢାଞ୍ଚାକୁ ବର୍ଣ୍ଣନା କରେ। ପାନ ମସଲା ଉପରେ ଅଧିକ ଟିକସ ବିଷୟରେ ଆଲୋଚନା ସମ୍ପର୍କରେ ସେ କହିଥିଲେ ଯେ ଡିମେରିଟ୍ ଜିନିଷ ଶସ୍ତା ହେବ ନାହିଁ। ଜାତୀୟ ସୁରକ୍ଷା ଏବଂ ଜନସ୍ୱାସ୍ଥ୍ୟ ଉଭୟ ସୁନିଶ୍ଚିତ କରିବା ପାଇଁ ରାଜସ୍ୱ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ବିଲ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ ଯେ ସେସ୍ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ନୁହେଁ, ବରଂ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା କ୍ଷତିକାରକ ଜିନିଷ ଉପରେ ଲାଗୁ କରାଯିବ । ଏହି ବିଧେୟକର ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କ ଉପରେ ଆର୍ଥିକ ବୋଝ ନ ପକାଇ ଦେଶର ସୁରକ୍ଷା ପାଇଁ ଜରୁରୀ ସାମଗ୍ରୀ ପାଇଁ ପାଣ୍ଠି ଏକାଠି କରିବା ।
ତେବେ ଏହି ବିଧେୟକକୁ ବିରୋଧୀ ଦଳର ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ । ବିଧେୟକକୁ ଫେରାଇ ନେବାକୁ ଚାପ ପକାଇଥିଲେ । ଯାହାର ଜବାବରେ ପୁଣି ମନ୍ତ୍ରୀ କହିଥିଲେ ଯେ ନିକଟରେ ହୋଇଥିବା ଅପରେସନ୍ ସିନ୍ଦୁର ସମୟରେ ବହୁତ ଟେକ୍ନିକାଲ ଇନଷ୍ଟ୍ରୁମେଣ୍ଟସର ଆବଶ୍ୟକତା ପଡ଼ିଥିଲା । ଏହାହି ଆଧୁନିକ ଯୁଦ୍ଧ ଅଟେ । ଯେଉଁଥିପାଇଁ ସେସ୍ ଆଣିବା ନିତ୍ୟାନ୍ତ ଜରୁରୀ ଅଟେ ।