ମଙ୍ଗଳବାର ୩ ରାଜ୍ୟରେ ଖାଲି ପଡିଥିବା ୧୫ ରାଜ୍ୟସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ । ଏହି ୩ ରାଜ୍ୟ ହେଲା ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ। ରାଜ୍ୟଗୁଡିକର ବିଧାନସଭାରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ ଭୋଟ ଗଣତି ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଥିଲେ ପ୍ରାର୍ଥ। ତେବେ ସେମାନଙ୍କ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଥିବା ବେଳେ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ୧୫ଟି ଆସନ ପାଇଁ ହେବ ନିର୍ବାଚନ।
ୟୁପିରେ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ସିଟ୍ ସଂଖ୍ୟା ରହିଛି ୧୦ । ଏଥି ମଧ୍ୟରୁ ବିଜେପି ୮ଟି ଆସନ ପାଇଁ ପ୍ରାର୍ଥୀ ଏବଂ ସମାଜବାଦୀ ପାର୍ଟିରୁ ୩ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ସେହିପରି କର୍ଣ୍ଣାଟକରେ ୪ଟି ସିଟ ଥିବା ବେଳେ ୫ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । ଏଠି ମଧ୍ୟରୁ କଂଗ୍ରେସରୁ ୩ଜଣ ଏବଂ ବିଜେପି ଓ ଜେଡିଏସରୁ ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି। ଅପରପକ୍ଷରେ ହିମାଚଳ ପ୍ରଦେଶରେ ଗୋଟିଏ ସିଟ ପାଇଁ ବିଜେପିର ହର୍ଷ ମହାଜନ ଏବଂ କଂଗ୍ରେସର ଅଭିଷେକ ମନୁ ସିଂହଭି ଲଢେଇ କରୁଛନ୍ତି।
ରାଜ୍ୟସଭା ନିର୍ବାଚନରେ ବିଜେପିର ସର୍ବାଧିକ ୨୦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଏଲ୍. ମୁରୁଗନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ବିନା ଭୋଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ସାରିଛନ୍ତି। ଓଡ଼ିଶାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ।
ଅଧିକ ପଢନ୍ତୁ: ଧର୍ମଶାଳା ମିଡିଆ କ୍ଲବର ଦ୍ୱିତୀୟ ବାର୍ଷିକୀ ଉତ୍ସବ ଅନୁଷ୍ଠିତ