ସିଗନାଲ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ବାହାନଗା ଟ୍ରେନ୍ ଟ୍ରାଜେଡି ହୋଇଛି । ପ୍ରାଥମିକ ତଦନ୍ତ ପରେ ଏହା ଜଣାପଡ଼ିଥିବା ରେଳୱେ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବୋର୍ଡର ସଦସ୍ୟ ଜୟା ବର୍ମା ସିହ୍ନା କହିଛନ୍ତି ଯେ, ବର୍ତ୍ତମାନ ରେଳୱେ କମିଶନର ସେଫଟି କମିଶନରଙ୍କ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେ କରିଛନ୍ତି ଯେ କେବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୧୨୮ କିମି ପ୍ରତି ଘଣ୍ଟା ବେଗରେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ । ଲୁପ ଲାଇନରେ ଅଟକି ରହିଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ । ଲୁହା ବୋଝେଇ ମାଲବାହୀ ଟ୍ରେନ ଉପରେ କରମଣ୍ଡଳର ଇଞ୍ଜିନ ଓ କିଛି ବଗି ଚଢ଼ି ଯାଇଥିଲା । ଲୁହା ବୋଝେଇ ଥିବାରୁ ମାଲବାହୀ ଟ୍ରେନ ଘୁଞ୍ଚି ନଥିଲା । କରମଣ୍ଡଳ ଏକ୍ସପ୍ରେସର ବଗିଗୁଡ଼ିକ ଅତି ସୁରକ୍ଷିତ, ସହଜରେ ଏହା ଲାଇନଚ୍ୟୁତ ହୁଏନାହିଁ । ୧୨୮ କିମି ପ୍ରତି ଘଣ୍ଟା ସ୍ପିଡରେ ଟ୍ରେନ ଧକ୍କା ହେବା ପରେ ପୂରା ଇଫେକ୍ଟ କରମଣ୍ଡଳ ଉପରେ ପଡ଼ିବା ଯୋଗୁ ଏହାର ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସର ବଗି ଅନ୍ୟ ଟ୍ରାକରେ ପଡିଥିଲା । ଡାଉନ ମେନ ଲାଇନରେ ୧୨୬ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଯାଉଥିବା ଯଶବନ୍ତପୁର ଏକ୍ସପ୍ରେସର ଶେଷ ଦୁଇଟି ବଗି ସହ କରମଣ୍ଡଳର ବଗି ପିଟି ହୋଇଥିଲା । ଫଳରେ ଯଶବନ୍ତପୁରର ଶେଷ ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଦୁର୍ଘଟଣା ଘଟିବାର ୨୦ ମିନିଟ ମଧ୍ୟରେ ରେସ୍କ୍ୟୁ ଟିମ୍ ପହଞ୍ଚିଥିଲା । ଉଭୟ ଟ୍ରେନକୁ ଗ୍ରୀନ ସିଗନାଲ ମିଳିଥିଲା । ଓଭରସ୍ପିଡିଂର ସମସ୍ୟା ନଥିଲା, ସିଗନାଲିଂରେ ସମସ୍ୟ ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ରେଲଓ୍ବେ ସେଫ୍ଟି ବୋର୍ଡ କମିଶନର ତଦନ୍ତର ବିସ୍ତୃତ ରିପୋର୍ଟ ଦେବେ । ରେଲବାଇ ପକ୍ଷରୁ ହେଲ୍ପଲାଇନ ନମ୍ବର-୧୩୯ ଜାରି କରାଯାଇଛି ।