ନୂଆଦିଲ୍ଲୀ: ମହଙ୍ଗା ପିଆଜ ପାଇଁ ଅସୁବିଧାରେ ପଡ଼ିଥିବା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳୁଛି। ସରକାରଙ୍କ ହସ୍ତକ୍ଷେପ ଏବଂ ଚଳିତ ମାସରୁ ସବସିଡି ଯୁକ୍ତ ପିଆଜ ବିକ୍ରି ଆରମ୍ଭ ହେବାର ପ୍ରଭାବ ଏବେ ବଜାରରେ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ଦେଶର ପ୍ରମୁଖ ସହରଗୁଡ଼ିକରେ ପିଆଜ ଦର ନିୟନ୍ତ୍ରଣରେ ରହିଛି।
ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଶନିବାର କହିଛି ଯେ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରରେ ପିଆଜ ଦର ହ୍ରାସ ପାଇଛି। ଦିଲ୍ଲୀରେ ପିଆଜର ଖୁଚୁରା ଦର କିଲୋ ପିଛା ୬୦ ଟଙ୍କାରୁ ୫୫ ଟଙ୍କାକୁ ଖସି ଆସିଛି। ସେହିପରି ମୁମ୍ବାଇରେ ପିଆଜ କିଲୋ ପିଛା ୬୧ ଟଙ୍କା ଥିବା ବେଳେ ଚେନ୍ନାଇରେ କିଲୋ ପିଛା ୬୫ ଟଙ୍କା ଥିବା ବେଳେ ଏବେ ଏହା ୫୮ ଟଙ୍କାରେ ମିଳୁଛି।
ଦେଶର ପ୍ରମୁଖ ସହରଗୁଡ଼ିକର ଖୁଚୁରା ବଜାରରେ ପିଆଜ ଦର କମ୍ ହେବାର ମୁଖ୍ୟ କାରଣ ହେଉଛି ସରକାର ରିହାତି ମୂଲ୍ୟରେ ଆରମ୍ଭ କରିଥିବା ବିକ୍ରି। ପିଆଜଦର ବୃଦ୍ଧିକୁ ରୋକିବା ପାଇଁ ସରକାର ସେପ୍ଟେମ୍ବର ୫ରୁ ପ୍ରମୁଖ ସହରଗୁଡ଼ିକରେ ରିହାତି ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ କରିଛନ୍ତି। ଏହି ପ୍ରୟାସ ଅଧୀନରେ ଲୋକଙ୍କୁ କିଲୋ ପିଛା ୩୫ ଟଙ୍କା ରିହାତି ଦରରେ ପିଆଜ ଉପଲବ୍ଧ ହେଉଛି।
ବିଭିନ୍ନ ସହରରେ ପିଆଜ ଦର କିଲୋ ପିଛା ୮୦ ଟଙ୍କା ଅତିକ୍ରମ କରିଥିଲା। ଫଳରେ ରୋଷେଇ ବଜେଟ୍ ପରିଚାଳନା କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଏଭଳି ସ୍ଥିତିରେ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ସେପ୍ଟେମ୍ବର ୫ରୁ ଦିଲ୍ଲୀ-ଏନସିଆର ଏବଂ ମୁମ୍ବାଇରେ ଶସ୍ତା ରେ ପିଆଜ ଯୋଗାଇବା ଆରମ୍ଭ କରିଥିଲେ। ପରେ ଏହି ଅଭିଯାନକୁ ଦେଶର ଅନ୍ୟ ପ୍ରମୁଖ ସହରରେ ବିସ୍ତାର କରାଯାଇଥିଲା। ସମବାୟ ସଂସ୍ଥା ଏନସିସିଏଫ ଓ ନାଫେଡ ଜରିଆରେ ସରକାର ରିହାତି ମୂଲ୍ୟରେ ପିଆଜ ବିକ୍ରି କରୁଛନ୍ତି।
କେନ୍ଦ୍ର ଖାଦ୍ୟ ବଣ୍ଟନ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଏନସିଆର ଏବଂ ମୁମ୍ବାଇବାସୀଙ୍କୁ ଶସ୍ତା ମୂଲ୍ୟରେ ପିଆଜ ଉପଲବ୍ଧ କରାଯାଉଛି। ଦ୍ବିତୀୟ ପର୍ଯ୍ୟାୟରେ କୋଲକାତା, ଗୌହାଟୀ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ରାୟପୁର ଭଳି ସହରକୁ ଅନ୍ତର୍ଭୁକ୍ତ କରି ଏହି ଅଭିଯାନ ଆରମ୍ଭ କରାଯିବ। ତୃତୀୟ ପର୍ଯ୍ୟାୟ ମାସର ତୃତୀୟ ସପ୍ତାହରେ ଆରମ୍ଭ ହେବ, ଯେଉଁଥିରେ ସାରା ଦେଶରେ ଶସ୍ତାରେ ପିଆଜ ବିକ୍ରି ହେବ।
ଅଧିକ ପଢ଼ନ୍ତୁ: ରାମଲାଲାଙ୍କ ପାଖକୁ ଆସିଲେ ୧୧ କୋଟି ଶ୍ରଦ୍ଧାଳୁ