ଲକ୍ଷ୍ନୌ: ଜାନୁଆରୀରୁ ଜୁନ୍ ମଧ୍ୟରେ ପ୍ରାୟ ୧୧ କୋଟି ଶ୍ରଦ୍ଧାଳୁ ଶ୍ରୀରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉତ୍ତରପ୍ରଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରକାଶ ପାଇଛି। ଏହି ହିସାବରେ ରାଜ୍ୟକୁ ୩୨.୯୮ କୋଟି ପର୍ଯ୍ୟଟକ ଆସିଥିବା ବେଳେ ଗତବର୍ଷ ଏହି ୬ ମାସରେ ୧୯.୬୦ କୋଟି ପର୍ଯ୍ୟଟକ ଆସିଥିଲେ।
ଅର୍ଥାତ୍ ଗତବର୍ଷ ତୁଳନାରେ ଚଳିତ ବର୍ଷ ୬ ମାସରେ ୧୩.୩୮ କୋଟି ଅଧିକ ପର୍ଯ୍ୟଟକ ଆସିଛନ୍ତି। ଏମାନଙ୍କ ମଧ୍ୟରେ ୩୨.୮୭ କୋଟି ଦେଶୀ ଓ ୧୦.୩୬ ଲକ୍ଷ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। ବିଦେଶୀ ପର୍ଯ୍ୟଟକମାନେ ଆଗ୍ରା ଓ ବାରଣାସୀକୁ ଅଧିକ ପସନ୍ଦ କରିଛନ୍ତି। ଆଗ୍ରାରେ ସର୍ବାଧିକ ୭.୦୩ ଲକ୍ଷ ପର୍ଯ୍ୟଟକ ଆସିଥିବା ବେଳେ ବାରାଣାସୀରେ ୧.୩୩ ଲକ୍ଷ ପର୍ଯ୍ୟଟକ ଆସିଛନ୍ତି।
ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ପର୍ଯ୍ୟଟନର ବିକାଶ ଦ୍ରୁତ ଗତିରେ ହୋଇଛି। ଚଳିତ ବର୍ଷ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀରାମଲାଲାଙ୍କ ସିଂହାସନ ସ୍ଥାପନ ହେବା ପରେ ପର୍ଯ୍ୟଟକଙ୍କ ଆଗମନ ଦ୍ରୁତଗତିରେ ବୃଦ୍ଧି ପାଇଛି।
ଜାନୁଆରୀରୁ ଜୁନ୍ ମଧ୍ୟରେ ରାଜ୍ୟର ସର୍ବାଧିକ ୧୦.୯୯ କୋଟି ପର୍ଯ୍ୟଟକ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ୨,୮୫୧ ଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି। ସେହିଭଳି ବାରଣାସୀକୁ ୪.୬୧ କୋଟି ପର୍ଯ୍ୟଟକ ଆସିଛନ୍ତି। ଏମାନଙ୍କ ମଧ୍ୟରେ ୧.୩୩ ଲକ୍ଷ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। ପ୍ରୟାଗରାଜକୁ ୪.୫୩ କୋଟି ପର୍ଯ୍ୟଟକ ଆସିଛନ୍ତି। ଏମାନଙ୍କ ମଧ୍ୟରେ ୩,୬୬୮ ଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି। ସେହିପରି ୪୯,୬୧୯ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୩.୦୭ କୋଟି ପର୍ଯ୍ୟଟକ ମଥୁରା ଗସ୍ତ କରିଛନ୍ତି।
ସେହିପରି ତାଜମହଲ ଦେଖିବା ପାଇଁ ୭୬.୮୮ ଲକ୍ଷ ପର୍ଯ୍ୟଟକ ଆଗ୍ରା ଯାଇଛନ୍ତି। ଲକ୍ଷ୍ନୌକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୩୫.୧୪ ଲକ୍ଷ ରହିଛି। ଏମାନଙ୍କ ମଧ୍ୟରେ ୭,୧୦୮ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ଗତବର୍ଷ ୪୮ କୋଟି ପର୍ଯ୍ୟଟକ ଉତ୍ତରପ୍ରଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଥିଲେ। ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ୬୦୦ ନିୟୁତରୁ ଅଧିକ ହେବ ବୋଲି ଆଶା କରାଯାଉଛି। ପର୍ଯ୍ୟଟକଙ୍କ ପ୍ରକୃତ ସଂଖ୍ୟା ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ସର୍ଭେ ର ବ୍ୟବସ୍ଥା କରାଯାଇଛି।
ଅଧିକ ପଢ଼ନ୍ତୁ: ରାଜୌରୀରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ