ଗତ ମଙ୍ଗଳବାର ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଅନୁସୂଚିତ ଜାତି ଏବଂ ଜନଜାତି ତାଲିକା ସଂଶୋଧନ ସମ୍ପର୍କିତ ଦୁଇଟି ବିଲକୁ ରାଜ୍ୟସଭାରେ ମଞ୍ଜୁରୀ ମିଳିଥିଲା। ଏହି ବିଲ୍ ମଙ୍ଗଳବାର ଦିନ ରାଜ୍ୟସଭାରେ ଆଗତ ହେବା ପରେ ଗୁରୁବାର ଦିନ ଲୋକସଭାରେ ଗୃହୀତ ହୋଇଛି। ତେବେ ଓଡ଼ିଶାର ୪ ସମ୍ପ୍ରଦାୟକୁ ଏସଟି ବର୍ଗରେ ସାମିଲ କରିବାକୁ ରାଜ୍ୟସଭାରେ ବିଲ୍ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃତଜ୍ଞତା ଜଣାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସୂଚନାଯୋଗ୍ୟ ଯେ, ନୂତନ ସମ୍ବିଧାନ ନିର୍ଦ୍ଦେଶନା(ଅନୁସୂଚିତ ଜାତି ଏବଂ ଜନଜାତି) ସଂଶୋଧନ ବିଲ୍ ୨୦୨୪, ଓଡ଼ିଶା ଅନୁଯାୟୀ ଅନୁସୂଚିତ ଜନଜାତି ତାଲିକା ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜାତି),୧୯୫୦ ଏବଂ ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜନଜାତି), ୧୯୫୦ରେ ସଂଶୋଧନ କରାଯିବ। ଏହି ବିଲ୍ ଅଧୀନରେ ଓଡିଶାର ଆଦିମ ଜନଜାତିର ଚାରୋଟି ସମ୍ପ୍ରଦାୟ-ପାଉଡି ଭୂୟାଁ, ଚକୋଟିଆ ଭୁଞ୍ଜିଆ, ବୋଣ୍ଡୋ ଏବଂ ମାଙ୍କଡିଆ ଏସଟି ତାଲିକାରେ ଅନ୍ତର୍ଭୁକ୍ତ ହେବେ । ସେହିପରି ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜାତି ଏବଂ ଜନଜାତି) ସଂଶୋଧନ ବିଲ୍ ୨୦୨୪ ଆନ୍ଧ୍ରପ୍ରଦେଶ ଅନୁସୂଚିତ ଜନଜାତି ତାଲିକା ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜନଜାତି), ୧୯୫୦ରେ ସଂଶୋଧନ କରାଯାଇ ଆନ୍ଧ୍ରର ୩ ଆଦିବାସୀ ବର୍ଗ ବୋଣ୍ଡୋ ପୋରଜା, ଖୋଣ୍ଡ ପୋରଜା ଏବଂ କୋଣ୍ଡା ସାଭାରସ୍ ସମ୍ପ୍ରଦାୟଙ୍କୁ ଏସଟିରେ ଅନ୍ତର୍ଭୁକ୍ତ କରାଯିବ। ତେବେ ଓଡ଼ିଶାରେ ସମୁଦାୟ ୪ଟି ଏବଂ ଆନ୍ଧ୍ରପ୍ରଦେଶର ୩ଟି ଗୋଷ୍ଠୀ ଏସଟି ତାଲିକାରେ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ବିଲ୍ ଅନୁସାରେ, ଆନ୍ଧ୍ରପ୍ରଦେଶର ଅନୁସୂଚିତ ଜନଜାତି ତାଲିକାରେ ସଂଶୋଧନ ଅଣାଯିବା ସହିତ ଦ୍ୱିତୀୟ ବିଲ୍ ଅନୁସାରେ ଓଡିଶାର ଅନୁସୂଚିତ ଜାତି ଏବଂ ଜନଜାତି ତାଲିକାରେ ସଂଶୋଧନ କରାଯିବ। ଏହା ଫଳରେ ରାଜ୍ୟର ଅନୁସୂଚିତ ଜନଜାତି ଶ୍ରେଣୀ ତାଲିକାରେ ରହିଥିବା ରେଡ୍ଡୀ ଏବଂ ଦୋରା ସଂପ୍ରଦାୟ ଲୋକଙ୍କ ସାଙ୍ଗିଆରେ ପରିବର୍ତ୍ତନ କରାଯିବ । ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଉଭୟ ବିଲକୁ ଉଚ୍ଚ ସଦନରେ ଆଗତ କରିଥିଲେ।
ଅଧିକ ପଢନ୍ତୁ: ରାଜଧାନୀରେ ୨୦ତମ ଧଉଳି-କଳିଙ୍ଗ ମହୋତ୍ସବ