ଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀଙ୍କ ସହିତ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହା ସହିତ "ଯୁଦ୍ଧ ଭାରତର ପସନ୍ଦ ନୁହେଁ, ଏହା କୌଣସି ପକ୍ଷର ସ୍ୱାର୍ଥକୁ ସୁହାଇନଥାଏ" ବୋଲି ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀଙ୍କ ଆଲୋଚନା ପରେ ସରକାରୀ ଭାବେ ଏହି ମନ୍ତବ୍ୟକୁ ପ୍ରକାଶ କରାଯାଇଛି ।
NSA ଡୋଭାଲ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀଙ୍କ ସହ ଆଲୋଚନା କରି କହିଥିଲେ, ପହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଭାରତୀୟଙ୍କୁ କ୍ଷ୍ୟତି ପହଞ୍ଚାଇଥିଲା । ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବହୁତ ଜରୁରୀ ହୋଇପଡ଼ିଥିଲା ଭାରତ ପାଇଁ । ଏହା ସହ ଶ୍ରୀ ଡୋଭାଲ କହିଥିଲେ ଭାରତ ଯୁଦ୍ଧକୁ ବାଛି ନଥିଲା ଏବଂ ଏହା କୌଣସି ପକ୍ଷର ସ୍ୱାର୍ଥ ସାଧନ କରିନଥାଏ । ବର୍ତ୍ତମାନ ଅସ୍ତ୍ରବିରତି ପାଇଁ ଉଭୟ ଭାରତ ଓ ପାକିସ୍ଥାନ ରାଜି ହୋଇଥିବା ବେଳେ, ଉଭୟ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ପୂର୍ଵଵତ୍ ଫେରିଆସୁ ବୋଲି କହିଥିଲେ ।
ଶ୍ରୀ ଡୋଭାଲଙ୍କ ସହ ବାର୍ତ୍ତାଳାପରେ ଶ୍ରୀ ୟୀ ଆତଙ୍କବାଦୀଙ୍କ ପହଲଗାମ ଆକ୍ରମଣକୁ ନିନ୍ଦା କରିବା ସହିତ ଆତଙ୍କବାଦର ସବୁ ସ୍ୱରୂପକୁ ତୀବ୍ର ସମାଲୋଚନା କରିଥିଲେ । ବର୍ତ୍ତମାନର ଜଟିଳ ଓ ଅପ୍ରତ୍ୟଶ୍ରିତ ଆନ୍ତର୍ଜାତିକ ସ୍ତରରେ ଅସ୍ଥିରତା ସମୟରେ ଏସିଆରେ ଶାନ୍ତି ଓ ସ୍ଥିରତା ବହୁ କଷ୍ଟରେ ଉପଲବ୍ଧ ହୋଇଛି । ଯାହାକୁ ଆମେ ସମସ୍ତେ ଆଦର କରିବା ଉଚିତ । ଡୋଭାଲଙ୍କ ବକ୍ତବ୍ୟ 'ଯୁଦ୍ଧ ଭାରତର ପସନ୍ଦ ନୁହେଁ' ଉକ୍ତିକୁ ସେ ପ୍ରୋତ୍ସାହନ ଦେବା ସହିତ ପହଲଗାମ ଆକ୍ରମଣର ତୀବ୍ର ନିନ୍ଦା କରିଥିଲେ । ଏହା ସହିତ ଉଭୟ ପକ୍ଷ ଭାରତ ଓ ପାକିସ୍ଥାନକୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ପ୍ରଭାବିତ ଅଞ୍ଚଳ ଗୁଡିକରେ ଶାନ୍ତି ଓ ସୁରକ୍ଷା ରକ୍ଷା କରିବାକୁ କହିଥିଲେ ।
ୱାଙ୍ଗ ୟୀ ଭାରତ ଓ ପାକିସ୍ଥାନ ଉଭୟଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ବିରତି ପ୍ରକ୍ରିୟାକୁ ସ୍ୱାଗତ କରିବା ସହିତ ଭବିଷ୍ୟରେ ଅସ୍ଥିରତା ଆଉ ଆଗକୁ କିପରି ନ ବଢେ, ସେ ନେଇ ସଚେତନ ରହିବାକୁ କହିଥିଲେ ।