ଭାରତରେ ବଢୁଛି କରୋନା ଚିନ୍ତା : ୨୪ ଘଣ୍ଟାରେ ସର୍ବାଧିକ ରେକର୍ଡ ସଂଖ୍ୟକ ୭୪୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ଗଲାଣି ୧୭୫ ଜୀବନ
Khabar Odisha:National-1-65000-crossed-Corona-positive-in-India
ନୂଆଦିଲ୍ଲୀ, ମେ ୨୯ (ଖବର ଓଡ଼ିଶା):

 ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି ।  ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ୭ ଶହ ଟପିଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୭୪୬୬  ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି। ଏହା ପୂର୍ବ ଅପେକ୍ଷା ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ । ଏହାସହ ୧୭୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।         କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୬୫  ହଜାର ୭୯୯ ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ ୪ ହଜାର ୭୦୬ ଜଣଙ୍କ ମୃତ୍ୟୁ ଘଟିଛି । 

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୭୧,୧୦୬ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ,୯୮୭ ସକ୍ରିୟ ଅଛନ୍ତି।ଏବେ ୮୯ ହଜାର ୯୮୭ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୫୯ ହଜାର ୫୪୬ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୯୮୨ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୯୬୦, ମଧ୍ୟପ୍ରଦେଶରେ ୩୨୧  ଓ ପଶ୍ଚିମବଙ୍ଗରେ ୨୯୫  ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୮୦, ଦିଲ୍ଲୀରେ ୩୧୬ ଓ ତାମିଲନାଡୁରେ ୧୪୫ ଜଣ ଜୀବନ ହାରିଛନ୍ତି । 

ବିଶ୍ୱର ପ୍ରାୟ ୨୧୩ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

  • Tags:

Subscribe

National International State Sports Entertainment