ଲଖନଉ, ଅଗଷ୍ଟ ୦୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଘରୋଇ ଉପଭୋକ୍ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି । ଉତ୍ତର ପ୍ରଦେଶ ବିଦ୍ୟୁତ ନିୟାମକ ଆୟୋଗ ତରଫରୁ ଗତ ଜୁଲାଇ ୨୩ରେ ଘୋଷିତ ନୂଆ ବିଦ୍ୟୁତ ଦର ଆଜି (୨୦୨୨ ଅଗଷ୍ଟ ୫ ତାରିଖ)ଠାରୁ ଲାଗୁ ହେବ । ସବୁଠାରୁ ଭଲ ଖବର ହେଲା ୧୦୦ରୁ କମ ଓ ୫୦୦ ୟୁନିଟରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ ପୂର୍ବ ତୁଳନାରେ କମ ଆସିବ ।
ନୂଆ ଦର ଅନୁସାରେ ୩୦୦ ୟୁନିଟରୁ ଅଧିକ ବିଦ୍ୟୁତ ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କୁ ୟୁନିଟ ପିଛା ୬.୫୦ ଟଙ୍କା ଦେବାକୁ ପଡ଼ିବ । ପୂର୍ବରୁ ଏହି ଦର ୭ଟଙ୍କା ଥିଲା । ସେହିପରି ଘରୋଇ ବିଦ୍ୟୁତର ସର୍ବାଧିକ ଦର ୟୁନିଟ ପିଛା ୬ଟଙ୍କା ୫୦ ପଇସା ହେବ । ଗ୍ରେଟର ନୋଏଡାରେ ବିଦ୍ୟୁତ ଦର ପାଖାପାଖି ୧୦ ପ୍ରତିଶତ ହ୍ରାସ କରାଯାଇଛି । ଘରୋଇ ବିଦ୍ୟୁତର ସର୍ବାଧିକ ଦର ୬.୫୦ ଟଙ୍କା ପ୍ରତି ୟୁନିଟ ରଖାଯାଇଛି ।
ଗ୍ରାମାଞ୍ଚଳରେ ୦ରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ୟୁନିଟ ପିଛା ୩ଟଙ୍କା ୩୫ ପଇସା, ୧୦୧ରୁ ୧୫- ୟୁନିଟ ପର୍ଯ୍ୟନ୍ତ ୩ଟଙ୍କା ୮୫ ପଇସା, ୧୫୧ରୁ ୩୦୦ ୟୁନିଟ ପର୍ଯ୍ୟନ୍ତ ୫ଟଙ୍କା ଓ ୩୦୦ ୟୁନିଟରୁ ଉପରକୁ ୟୁନିଟ ପିଛା ୫ଟଙ୍କା ୫୦ ପଇସା କରାଯାଇଛି । ସେହିପରି ସହରାଂଚଳରେ ୦ରୁ ୧୫୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦର ୟୁନିଟ ପିଛା ୫ଟା ୫୦ ପଇସା, ୧୫୧ରୁ ୩୦୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ୬ଟଙ୍କା ଓ ୩୦୦ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ୬ଟଙ୍କା ୫୦ ପଇସା ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବ ।