ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ରାଜସ୍ଥାନର ରାଜନୀତି ଏବେ ଦିଲ୍ଲୀରେ ପହଂଚିଛି । ଏହାକୁ ନେଇ ଆଜି କିଛି ସ୍ପଷ୍ଟ ହୋଇପାରେ । ରାଜସ୍ଥାନରେ ଜାରି ଥିବା ରାଜନୈତିକ ସଂକଟକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଦିଲ୍ଲୀ ପହଂଚିଛନ୍ତି ।
ଅଶୋକ ଗହଲୋତ ସେପ୍ଟେମ୍ବର ୨୯ ତାରିଖରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏବଂ ଯଥା ସମ୍ଭବ ସେ କଂଗ୍ରେସ ଅଧ୍ୟକ୍ଷଙ୍କ ସାମ୍ନାରେ ରାଜସ୍ଥାନରେ ଉପୁଜିଥିବା ସଂକଟର ସମାଧାନ ନେଇ ଚର୍ଚ୍ଚା କରିବେ । ଦିଲ୍ଲୀ ପହଂଚିବା ପରେ ଅଶୋକ ଗହଲୋତ ବୁଧବାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ, ରାଜସ୍ଥାନରେ ଦେଖାଯାଇଥିବା ସଂକଟ ଘରର କଥା, ଏହାକୁ ଆମେ ନିଜ ନିଜ ଭିତରେ ସମାଧାନ କରିବୁ । ସୋନିଆଙ୍କ ନେତୃତ୍ୱରେ ସବୁ ସମସ୍ୟାର ସମାଧାନ ହୋଇଯିବ । ସେ କହିଛନ୍ତି ଯେ, ଇଣ୍ଟରନାଲ ପଲିଟିକ୍ସରେ ଏହି ସବୁ ଘଟଣାକ୍ରମେ ଦେଖାଯାଇଥାଏ । ସେ କହିଛନ୍ତି , ପୂରା ଘଟଣାକ୍ରମକୁ ନେଇ ମିଡିଆର ନିଜର ଦୃଷ୍ଟିକୋଣ ହୋଇପାରେ । ଆମ ସମସ୍ତଙ୍କୁ ଚିନ୍ତା ଯେ, ଦେଶ କେଉଁ ଦିଗକୁ ଯାଉଛି ଏବଂ ଏହି ଚିନ୍ତାକୁ ନେଇ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି ।