ନୂଆଦିଲ୍ଲୀ, ମେ ୧୨ (ଖବର ଓଡ଼ିଶା): ଉତ୍ତରାଖଣ୍ଡର ହରିଦ୍ୱାରରେ ଜଣେ ବୁଜୁର୍ଗ ଦଂପତି ନିଜର ପୁଅ-ବୋହୂଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ କରିଛନ୍ତି । ସେମାନେ କୋର୍ଟଙ୍କୁ ଦାବି କରିଛନ୍ତି ଯେ, ପୁଆର ପାଳନ ଓ ଅନ୍ୟ କାମରେ ଖର୍ଚ୍ଚ ହୋଇଥିବା ୫ କୋଟି ଟଙ୍କା ମିଳୁ ଅଥଚ ପୁଅ-ବୋହୂ ଏକ ବର୍ଷ ମଧ୍ୟରେ ସନ୍ତାନ ଜନ୍ମ କରନ୍ତୁ ।
ବରିଷ୍ଠ ନାଗରିକ ଦ୍ୱୟ ପୁଅ-ବୋହୂଙ୍କ ବିବାହର ୬ ବର୍ଷ ବିତିଯିବା ପରେ ମଧ୍ୟ କୌଣସି ସନ୍ତାନ ପ୍ରାପ୍ତି ହୋଇପାରି ନାହିଁ । ବୋଧେ ସେମାନେ ସନ୍ତାନ ଚାହୁଁ ନାହାନ୍ତି ଅଥବା ଅନ୍ୟ କୌଣସି କାରଣ ହୋଇଥାଇପାରେ । କିନ୍ତୁ ବୃଦ୍ଧ ପିତା-ମାତ ଚାହାଁନ୍ତି ସେମାନଙ୍କ ଘରକୁ ନାତି/ନାତୁଣୀ ଆସୁ । ପୁଅ-ବୋହୂ ସେମାନଙ୍କର କଥା ନଶୁଣିବାରୁ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେଇଛନ୍ତି ।
ବରିଷ୍ଠ ଦଂପତିଙ୍କ କହିବା ଅନୁସାରେ ପୁଅ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଏକାକୀ ବଞ୍ଚିବାକୁ ପଡୁଛି । ଏହା ତାଙ୍କ ପାଇଁ ନିର୍ଯାତନା ସହିତ ସମାନ । ସେ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୋଲି କହିଛନ୍ତି । ବରିଷ୍ଠ ଦଂପତିଙ୍କ ପ୍ରାର୍ଥନା ପତ୍ରକୁ କୋର୍ଟ ସ୍ୱୀକାର କରିଛନ୍ତି । ଏବାବଦରେ ଆସନ୍ତା ୧୭ ତାରିଖରେ ଶୁଣାଣି ହେବ ।
ବିବରଣୀରୁ ଜଣାଯାଏ ଯେ, ବରିଷ୍ଠ ନାଗରିକ ସଂଜୀବ ରଂଜନ ପ୍ରସାଦ ବିଏଚଇଏଲରେ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ସେ ଅବସର ପରେ ନିଜର ପତ୍ନୀ ସାଧାନା ପ୍ରସାଦଙ୍କ ସହିତ ହାଉସିଂଗ ସୋସାଇଟି ଗ୍ରୀନ ହରିଦ୍ୱାରରେ ରହୁଛନ୍ତି । ନିଜର ସମସ୍ତ ସଂପତିକୁ ସେ ପୁଅର ପଢ଼ାଇବାରେ ଖର୍ଚ୍ଚ କରିଥିଲେ । ପାଇଲଟ କରିବା ପାଇଁ ବିଦେଶରେ ତାଲିମ ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ । ୨୦୧୬ରେ ନୋଏଡାରେ ଜଣେ ଯୁବତୀଙ୍କ ସହିତ ବିବାହ କରାଇଥିଲେ । ବୋହୂ ନୋଏଡାରେ ଚାକିରି କରୁଛନ୍ତି । ବରିଷ୍ଠ ନାଗରିକ ଦଂପତିଙ୍କ ଓକିଲ ଅରବିନ୍ଦ କୁମାର ଶ୍ରୀବାସ୍ତବଙ୍କ କହିବା ଅନୁସାରେ ଏଭଳି ମାମଲା ପ୍ରଥମ ଥର ଆସିଛି । ଘରେ ସାମାନ୍ୟ ଯୁକ୍ତିତର୍କ ହୋଇଥାଏ । କିନ୍ତୁ ଏଭଳି ମାମଲା ପ୍ରଥମ । ଆଶା କରାଯାଉଛି, କୋର୍ଟ ବୃଦ୍ଧ ଦଂପତିଙ୍କ ସପକ୍ଷରେ ରାୟ ଶୁଣାଇବେ ।