ବେଙ୍ଗାଲୁରୁ: ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଅଦାଲତ ସୋମବାର ଜଣେ ବାଂଲାଦେଶୀ ନାଗରିକଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବାଂଲାଦେଶୀ ନାଗରିକ ଜାହିଦୁଲ ଇସଲାମ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ ଇଣ୍ଡିଆ (ଜେଏମ୍ବି-ଇଣ୍ଡିଆ)ର ଇସାରାରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିଲେ।
ଜାହିଦୁଲ ଇସଲାମ ଓରଫ କୌସରଙ୍କୁ ଡକାୟତି, ଷଡ଼ଯନ୍ତ୍ର ଓ ଜବରଦଖଲ ଏବଂ ଗୋଳାବାରୁଦ କ୍ରୟ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫୭ ହଜାର ଟଙ୍କା ଜରିମାନା କରାଯାଇଛି ବୋଲି ଏନଆଇଏ ସୋମବାର ଏକ ବିବୃତିରେ କହିଛି। ଅକ୍ଟୋବର ୨୦୧୪ରେ ବର୍ଦ୍ଧମାନରେ ହୋଇଥିବା ବିସ୍ଫୋରଣ ଘଟଣାରେ ସେ ଓ ତାଙ୍କ ସହଯୋଗୀମାନେ ସମ୍ପୃକ୍ତ ଥିବା ଏନଆଇଏ କହିଛି।
ଏନଆଇଏର ତଦନ୍ତ ଅନୁଯାୟୀ, ୨୦୧୪ରେ ଜାହିଦୁଲ ଇସଲାମ ଓ ସଲାହୁଦ୍ଦିନ ସାଲେହିନ ବାଂଲାଦେଶ ପୁଲିସ ହେପାଜତରୁ ଖସି ଆସି ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା। ଏହି ସମୟରେ ସେ ଓ ତାଙ୍କ ସହଯୋଗୀମାନେ ୨୦୧୪ ଅକ୍ଟୋବରରେ ବର୍ଦ୍ଧମାନ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ। ବିସ୍ଫୋରଣ ପରେ ଜାହିଦୁଲ ଓ ତାଙ୍କ ସହଯୋଗୀମାନେ ବେଙ୍ଗାଲୁରୁ ପଳାଇଯାଇଥିଲେ, ଯେଉଁଠାରେ ସେମାନେ ପଶ୍ଚିମବଙ୍ଗ ଏବଂ ଆସାମର ଭୋଳ ମୁସଲମାନ ଯୁବକମାନଙ୍କୁ ଜେଏମବିର ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଉଗ୍ରବାଦୀ କରିଥିଲେ। ୨୦୧୮ ଜାନୁଆରୀରେ ବୋଧଗୟାରେ ହୋଇଥିବା ବିସ୍ଫୋରଣ ପଛରେ ଜାହିଦୁଲ ଇସଲାମ ଏବଂ ତାଙ୍କ ସହଯୋଗୀଙ୍କ ହାତ ଥିବା ଏନଆଇଏ ତା'ର ତଦନ୍ତରେ ଜାଣିବାକୁ ପାଇଥିଲା।
ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଜେଏମ୍ବିର ଆତଙ୍କୀ ଏଜେଣ୍ଡାକୁ ପ୍ରୋତ୍ସାହିତ କରିବା ପାଇଁ ଜାହିଦୁଲ ଡକାୟତି ମାଧ୍ୟମରେ ପାଣ୍ଠି ସଂଗ୍ରହ କରିବାକୁ ମଧ୍ୟ ଷଡ଼ଯନ୍ତ୍ର କରିଥିଲେ। ୨୦୧୮ରେ ସେମାନେ ବେଙ୍ଗାଲୁରୁରେ ୪ଟି ଡକାୟତି କରିଥିଲେ। ଘଟଣାର ଅଧିକ ତଦନ୍ତ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।
ଅଧିକ ପଢ଼ନ୍ତୁ: ଚୋରି କରିବାକୁ ଯାଇଥିଲେ ଏଟିଏମ୍