ଉତ୍ତରପ୍ରଦେଶ: ମହାକୁମ୍ଭରେ ଦଳଚକଟା ଯୋଗୁଁ ପ୍ରୟାଗରାଜର ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରାଯାଇଥିଲା । ଏପରିକି ଘରେ ତାଙ୍କ ପାଇଁ ଶୁଦ୍ଧିକ୍ରିୟା ମଧ୍ୟ ଚାଲିଥିଲା । ଘଟଣାର ୧୩ ଦିନ ବାଦ୍ ଘରେ ଯେତେବେଳେ ତାଙ୍କ ପାଇଁ ତ୍ରୟୋଦଶ କ୍ରିୟା ଚାଲିଛି ଠିକ୍ ସେତିକିବେଳେ ସେ ଘରକୁ ଫେରିଛନ୍ତି । ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ପରିବାର ଓ ପରିଜନ । ଯାହାଙ୍କ ପାଇଁ ତ୍ରୟୋଦଶ କର୍ମ ଚାଲିଛି ତାଙ୍କୁ ଜୀବିତ ଅବସ୍ଥାରେ ଦେଖି କେହି ବିଶ୍ୱାସ କରିପାରୁନାହାନ୍ତି । ଏପରି ଘଟଣା ଘଟିଛି ପ୍ରୟାଗରାଜର ଜିରୋ ରୋଡ଼ ଅଞ୍ଚଳରେ ସ୍ଥିତ ଚାହଚନ୍ଦ ଗଳିରେ । ଏଠାରେ ରହୁଥିବା ଖୁଣ୍ଟି ଗୁରୁ ନାମକ ଜଣେ ବ୍ୟକ୍ତିଙ୍କୁ ମହାକୁମ୍ଭ ଦଳାଚକଟାରେ ମୃତ୍ୟୁ ହୋଇଯାଇଥିବା ନେଇ ଘୋଷଣା କରାଯାଇଥିଲା ।
ଗତ ଜାନୁୟାରୀ ୨୯ରେ ପ୍ରୟାଗରାଜରେ ମୌନୀ ଅମାବାସ୍ୟା ପାଇଁ ଦଳଚକଟା ହୋଇ ଅନେକ ମୃତ୍ୟୁବରଣ କରିଛନ୍ତି । ଏଥିରେ ଖୁଣ୍ଟି ଗୁରୁଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା । ଏପଟେ ପରିବାର ଲୋକେ ତାଙ୍କ ବିୟୋଗ ଖବରରେ ମର୍ମାହତ ହୋଇ ଘରେ ଅନ୍ତିମ ସଂସ୍କାରରେ ଲାଗିପଡ଼ିଥିଲେ । ତାଙ୍କ ୧୩ ଦିନରେ କର୍ମ ଚାଲିଥିବା ବେଳେ ଗୁରୁ ଏକ ରିକ୍ସରେ ଆସି ଘରେ ଓହ୍ଳାଇଥିଲେ । ଏପଟେ ତାଙ୍କୁ ଜୀବିତ ଅବସ୍ଥାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଅଧିକ ପଢନ୍ତୁ: ଉନ୍ନାଓ ଜେଲରେ ପବିତ୍ର ସ୍ନାନ ପାଇଁ ବ୍ୟବସ୍ଥା, ସଂଗମର ଜଳରେ ବୁଡ଼ ପକାଇଲେ କଏଦୀ
ପ୍ରକୃତ କଥା ହେଲା ଗୁରୁ ମହାକୁମ୍ଭରେ ସାଧୁଙ୍କ ସହ ମିଶି ଚିଲମ ଟାଣିବାରେ ଏମିତି ମଜ୍ଜିଯାଇଥିଲେ ଯେ, ତାଙ୍କୁ ସମୟ ଜଣାପଡିନଥିଲା । ଘଟଣାକୁ ୨ ସପ୍ତାହ ବିତିବା ପରେ ଯେତେବେଳେ ତାଙ୍କର ଘର କଥା ମନେ ପଡିଲା, ସେତେବେଳେ ଘରକୁ ଫେରିଆସିଲେ । ଏପଟେ ଘର ଲୋକେ କିନ୍ତୁ ତାଙ୍କ ସହ ଯୋଗଯୋଗ ନ ହେବା କାରଣରୁ ଏବଂ ଦଳାଚକଟାରେ ମୃତ୍ୟୁ ହୋଇଯାଇଥିବା ନେଇ ଘୋଷଣା ହେବା ପରେ ତାଙ୍କୁ ଶୁଦ୍ଧିକ୍ରିୟା କରିଥିଲେ ।