ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଡକାୟତି ଘଟଣାରେ ପୁଲିସ ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋମବିନ୍ଦ କୁମାର (୨୯) ସୋମବାର ବିଳମ୍ବିତ ରାତିରେ ଲକ୍ଷ୍ନୌର ଚିନହାଟ ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଥିଲେ। ଦ୍ୱିତୀୟ ଅଭିଯୁକ୍ତ ସନ୍ନି ଦୟାଲ (୨୮) ମଙ୍ଗଳବାର ସକାଳେ ଗାଜିପୁରର ଗହମାରଠାରେ ପୁଲିସ ସହ ଏନକାଉଣ୍ଟରରେ ନିହତ ହୋଇଛି।
ପୂର୍ବରୁ ଏହି ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ବ୍ୟାଙ୍କ ଡକାୟତିର ୨୪ ଘଣ୍ଟା ମଧ୍ୟରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋବିନ୍ଦ କୁମାର ବିହାରର ମୁଙ୍ଗେରର ବାସିନ୍ଦା ଥିଲେ। ସେମାନେ ସମସ୍ତେ ଲକ୍ଷ୍ନୌରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ନିହତ ଦୁର୍ବୃତ୍ତଙ୍କ ଠାରୁ ନଗଦ ଟଙ୍କା ଓ ଅଳଙ୍କାର ଜବତ କରାଯାଇଛି।
ରବିବାର ଚୋରମାନେ ବ୍ୟାଙ୍କରୁ ଲୁଟ୍ କରିଥିଲେ। ଲୁଟେରାମାନେ ୨ଟି କାନ୍ଥ ଭାଙ୍ଗି ବ୍ୟାଙ୍କ ଭିତରକୁ ପଶି ୪୨ଟି ଲକର ଭାଙ୍ଗି ସାମଗ୍ରୀ ଲୁଟି ନେଇଥିଲେ। ସୋମବାର ସକାଳେ ପ୍ରଥମ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ଜଣେ ଅଭିଯୁକ୍ତ ଆହତ ହୋଇଥିଲେ ମଧ୍ୟ ଅନ୍ୟମାନେ ଫେରାର ହୋଇଯାଇଥିଲେ। ଦ୍ୱିତୀୟ ଏନକାଉଣ୍ଟର ସୋମବାର ରାତିରେ ହୋଇଥିଲା। ଏହି ଘଟଣାରେ ବ୍ୟାଙ୍କ ଡକାୟତି ମାମଲାର ଅଭିଯୁକ୍ତ ସୋବିନ୍ଦ କୁମାର ଆହତ ହୋଇଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ୭ ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅରବିନ୍ଦ କୁମାର, ବଳରାମ କୁମାର ଓ କୈଳାସ ବିନ୍ଦ। ଏହି ଏନକାଉଣ୍ଟରରେ ଅରବିନ୍ଦ କୁମାରଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଏମାନଙ୍କ ବ୍ୟତୀତ ୪ ଜଣ ଦୁର୍ବୃତ୍ତ ଫେରାର ଅଛନ୍ତି।
ଅଧିକ ପଢ଼ନ୍ତୁ: ଆମେ ହାମାସ ମୁଖ୍ୟ ଇସ୍ମାଇଲ ହାନିୟେହଙ୍କୁ ହତ୍ୟା କରିଥିଲୁ