ରାୟପୁର: ମାଓ ବିରୋଧୀ ଅଭିଯାନରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କୁଖ୍ୟାତ ମାଓ ନେତା ବାଲମୁରି ନାରାୟଣ ରାଓ ଓରଫ୍ ପ୍ରଭାକର (୫୭) ଗିରଫ ହୋଇଛି । ତା ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଛତିଶଗଡ଼ କାଙ୍କେର ଜିଲ୍ଲା ଜଙ୍ଗଲରୁ ତାକୁ ଗିରଫ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ ।
ପ୍ରଭାକର ଦୀର୍ଘ ୪୦ ବର୍ଷ ଧରି ମାଓ ସଂଗଠନରେ ସକ୍ରିୟ ଥିଲା । ସେ ୧୯୮୪ ମସିହାରେ ଛାତ୍ର ଜୀବନରୁ ମାଓ ସଂଗଠନରେ ଯୋଗ ଦେଇଥିଲା । ସେ କିଛି ବର୍ଷ ହେବ କାଙ୍କେର ଜିଲ୍ଲାରେ ନର୍ଥ ସବ୍ ଜୋନାଲ୍ ବ୍ୟୁରୋରେ ସକ୍ରିୟ ଥିଲା । ଗତ ୨୦୦୫ରୁ ୨୦୦୭ରୁ ସେ ସିପିଆଇ ମାଓ କମିଟି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିରେ କାର୍ଯ୍ୟ କରୁଥିଲା । ପ୍ରଭାକର କେନ୍ଦ୍ରୀୟ କମିଟି ସଦସ୍ୟ ଗଣପତିର ସମ୍ପର୍କୀୟ ଭାଇ ଅଟେ । ଅସ୍ତ୍ରଶସ୍ତ୍ର ଚାଲାଣରେ ତାର ବଡ଼ ଭୂମିକା ଥିଲା । ଓଡ଼ିଶା,ତେଲେଙ୍ଗାନା, ଆନ୍ଧ୍ର, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ମଧ୍ୟ ପ୍ରଦେଶରେ ତାର ଦବଦବା ରହିଥିଲା ।
ପ୍ରଭାକରକୁ ଧରିବାକୁ ଅନ୍ତଗଡ଼ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଅର୍ବାନ ନେଟୱାର୍କରେ କାମ କରୁଥିବାରୁ କାଙ୍କେର ଅଂଚଳରେ ଲୋକଙ୍କୁ ମାଓ ସଂଗଠନର ବିଷୟରେ ତାଲିମ ଦେଉଥିଲା । ଅନ୍ତଗଡ ଥାନା ସେ ଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିବା ପରେ ପୋଲିସ ଘେରାଉ କରି ପ୍ରଭାକରକୁ ଗିରଫ କରିବାରେ ସଫଳ ହୋଇଛି । ତାକୁ ତାକୁ ଧରାଇଦେଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ପୋଲିସ ଘୋଷଣା କରିଥିଲା ।
ଗତ ଏକ ବର୍ଷ ମଧ୍ୟରେ ୮୮୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଆଇଜି ପି.ସୁନ୍ଦରରାଜ । ପ୍ରଭାକର ଗିରଫ ହେବା ପରେ ସୁରକ୍ଷାବାହୀନର ମନୋବଳ ବୃଦ୍ଧି ପାଇଛି ।