ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଏନ୍ସିଆର ସହରଗୁଡ଼ିକରେ ଘନ କୁହୁଡ଼ି ରହୁଛି। ଏହା ସଡ଼କପଥରୁ ଆକାଶମାର୍ଗକୁ ପ୍ରଭାବିତ କରୁଛି। ରାଜଧାନୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ରେ ଘନ କୁହୁଡ଼ି ଯୋଗୁଁ ଅନେକ ବିମାନ ପ୍ରଭାବିତ ହୋଇଛି।
ଏନେଇ ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଆଡଭାଇଜରି ଅନୁଯାୟୀ, ସିଏଟି-୩ ଅନୁପାଳନ କରୁନଥିବା ବିମାନ ପ୍ରଭାବିତ ହୋଇପାରେ ଏବଂ ଯାତ୍ରୀମାନଙ୍କୁ ବିମାନ ସମ୍ପର୍କରେ ସୂଚନା ପାଇଁ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ସିଏଟି-୩ ଅନୁପାଳନର ଅର୍ଥ ହେଉଛି ବିମାନ କିମ୍ବା ବିମାନବନ୍ଦରରେ ଏକ ଉପକରଣ ଅବତରଣ ବ୍ୟବସ୍ଥା ରହିଛି ଯାହା ବିମାନକୁ କମ୍ ଦୃଶ୍ୟମାନ ସ୍ଥିତିରେ ଅବତରଣ କରିବାକୁ ଅନୁମତି ଦିଏ।
ଦିଲ୍ଲୀରେ ବର୍ଷା ପରେ ବାୟୁର ଗୁଣବତ୍ତାରେ ଉନ୍ନତି ଘଟିବା ପରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ର ଚତୁର୍ଥ ପର୍ଯ୍ୟାୟ ଅଧୀନରେ ମଙ୍ଗଳବାର ଦିଲ୍ଲୀ ଏବଂ ଏନସିଆରରେ ଅନେକ କଟକଣା ହଟାଇ ଦିଆଯାଇଛି। ମଙ୍ଗଳବାର ହାରାହାରି ବାୟୁ ସୂଚକାଙ୍କ (ଏକ୍ୟୁଆଇ) ୩୬୯ ରେକର୍ଡ କରାଯାଇଛି, ଯାହା 'ଅତ୍ୟନ୍ତ ଖରାପ' ଶ୍ରେଣୀରେ ରହିଛି। ଆଗାମୀ ଦିନରେ ଏଥିରେ ଆହୁରି ଉନ୍ନତି ଆସିବ ବୋଲି ଆଶା କରାଯାଉଛି।
ହଟିଲା ଏହି କଟକଣା
-ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା କଟକଣା ହଟିଲା
-ଦିଲ୍ଲୀରେ ଅଣ-ଅତ୍ୟାବଶ୍ୟକ ପ୍ରଦୂଷଣକାରୀ ଟ୍ରକ୍ ପ୍ରବେଶ ଉପରେ କଟକଣା ହଟିଲା
-ଦଶମ ଓ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ କ୍ଲାସ ବାଧ୍ୟତାମୂଳକ ଭାବେ ହାଇବ୍ରିଡ୍ ମୋଡ୍ରେ ଚାଲିବ
-ବିଏସ୍-୩ ପେଟ୍ରୋଲ ଓ ବିଏସ୍-୪ ଡିଜେଲ ଯାନ ଉପରେ କଟକଣା
-ତେବେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ କଟକଣା ବଳବତ୍ତର ରହିବ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ବୁଧବାର ସକାଳ ୭ଟା ସୁଦ୍ଧା ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ସୂଚକାଙ୍କ ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିଲା। ଆନନ୍ଦ ବିହାରରେ ଏକ୍ୟୁଆଇ ୩୬୩, ଅଲିପୁରରେ ୩୨୯, ଅଶୋକ ବିହାରରେ ୩୭୨, ଦ୍ୱାରକା ସେକ୍ଟର-୮ରେ ୩୭୪ ଓ ଜାହାଙ୍ଗୀରପୁରୀରେ ୩୭୫ ରହିଥିଲା। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ: ଟ୍ରାଭିସ୍ ହେଡ୍ଙ୍କୁ ନେଇ ଆସିଲା ଏହି ବଡ଼ ଅପ୍ଡେଟ୍