ନୂଆଦିଲ୍ଲୀ: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ଏକ ବଡ଼ ବୟାନ ଦେଇଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ଦେବାକୁ କହିଛନ୍ତି ମନ୍ତ୍ରୀ ଶ୍ରୀ ସିଂ ।
ଗିରିରାଜ ସିଂ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜଙ୍ଗଲରାଜକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଲାଲୁଜୀ ଲକ୍ଷ ଥର ଚେଷ୍ଟା କଲେ ମଧ୍ୟ ବିହାର ବିଧାନସଭା ନୀତିଶ କୁମାରଙ୍କ ନେତୃତ୍ୱରେ ପୁଣି ଥରେ ଚାଲିବ ଏବଂ ବିହାରରେ ପୁଣି ଥରେ ଏନଡିଏ ମେଣ୍ଟ ସରକାର ଗଢ଼ିବ ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଗିରିରାଜ ସିଂ ନବୀନ ଓ ନୀତିଶଙ୍କୁ ଆଜି ଭୂରି ଭୂରି ପ୍ରସଂଶା କରିଛନ୍ତି । ଯେଉଁ ପିଲାମାନେ 30 ବର୍ଷ ବୟସର ହୋଇଗଲେଣି ସେହି ପିଲାମାନେ ଲାଲୁଙ୍କ ଜଙ୍ଗଲରାଜ ଦେଖିନାହାଁନ୍ତି । କିନ୍ତୁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ପରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବିହାର ଶିକ୍ଷା ବ୍ୟବସ୍ଥା, ହସ୍ପିଟାଲ ଏବଂ ବିଦ୍ୟାଳୟ ଗୁଡ଼ିକୁ ଏକ ଉଚ୍ଚତାରେ ପହଁଚାଇଛନ୍ତି । ସେହିପରି ଓଡ଼ିଶାର ନବୀନ ପଟ୍ଟନାୟକ ମଧ୍ୟ ବର୍ଷ ବର୍ଷ ଧରି ଲୋକଙ୍କ ସେବା କରିଛନ୍ତି । ତେଣୁ ଭାରତର ସର୍ବୋଚ୍ଚ ସମ୍ମାନ ଏମିତିକି ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଉ ।
ତେବେ ଗିରିରାଜ ସିଂଙ୍କ ବୟାନ ପରେ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କୌଣସି ବି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।