ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ସଂସଦରେ ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଛନ୍ତି । ବ୍ୟକ୍ତି ଜଣକ ହେଲେ ଜିତେନ୍ଦ୍ର, ତାଙ୍କ ଘର ଉତ୍ତର ପ୍ରଦେଶ ବାଗପତ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେଠାରେ ଥିବା ସ୍ଥାନୀୟ ଲୋକ ଏବଂ ପୋଲିସ ତୁରନ୍ତ ଉଦ୍ଧାର କରି ରାମ ମନୋହର ଲୋହିଆ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ଶରୀର ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି ।
ଦିଲ୍ଲୀ ପୋଲିସ ଅନୁଯାୟୀ, ଆତ୍ମଦାହ ଉଦ୍ୟମ କରିଥିବା ବ୍ୟକ୍ତି ଜିତେନ୍ଦ୍ର ସଂସଦ ନିକଟରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ପୋଲିସ ଓ ରେଲଓ୍ଵେ ପୋଲିସ ସାଧାରଣ ଲୋକଙ୍କ ସହ ମିଶି ନିଆଁ ଲିଭାଇଥିଲେ। ତୁରନ୍ତ ଜିତେନ୍ଦ୍ରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ବାଗବତରେ ଶତ୍ରୁତାକୁ କେନ୍ଦ୍ର କରି ବ୍ୟକ୍ତି ଜଣକ ଆତ୍ମଦାହ ଉଦ୍ୟମ କରିଥିବା କୁହାଯାଉଛି। ଜିତେନ୍ଦ୍ରଙ୍କ ୯୦ ପ୍ରତିଶତ ଶରୀର ଜଳି ଯାଇଛି।
ଡିସିପି ଦେବେଶ କୁମାର ମହଲା କହିଛନ୍ତି, ଉତ୍ତର ପ୍ରଦେଶର ବାଗବତ ନିବାସୀ ଜିତେନ୍ଦ୍ର ନାମକ ବ୍ୟକ୍ତି ରେଲ ଭବନ ଛକରେ ଆତ୍ମଦାହ କରିବାକୁ ଉଦ୍ୟମ କରିଛନ୍ତି। ବାଗପତରେ ନିଜ ବିରୋଧରେ ରୁଜୁ ମାମଲାକୁ ନେଇ ସେ ବହୁତ ଚିନ୍ତିତ ଥିଲେ। ପୋଲିସକୁ ଘଟଣାସ୍ଥଳରୁ ୨ ପୃଷ୍ଠାର ସୁଇସାଇଡ୍ ନୋଟ୍ ଏବଂ କିରୋସିନ୍ ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି। ଏଫଆଇଆର ରୁଜୁ କରାଯାଇ ମାମଲାର ତଦନ୍ତ ଜାରି ରହିଛି।
ଏହି ଘଟଣା ସେହି ସମୟରେ ଘଟିଛି ଯେତେବେଳେ କ୍ରିସମସ ଓ ନୂଆ ବର୍ଷକୁ ନେଇ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ସୁରକ୍ଷା ବଢାଇ ଦେଇଛି। ପୋଲିସ ଟିମ୍ ଲଗାତାର ପେଟ୍ରୋଲିଂ ଜାରି ରଖିଛି। ଯାନବାହାନର ତଲାସି ନିଆଯାଉଛି। ଆତ୍ମଦାହ ମାମଲାର ତଦନ୍ତ କରାଯାଉଥିବା ପୋଲିସ କହିଛି।