ନୂଆଦିଲ୍ଲୀ: ନିକଟରେ ରାଜନୀତିରେ ପାଦ ଦେଇଥିବା ଜଣାଶୁଣା ଶିକ୍ଷକ ଅବଧ ଓଝା ଆମ୍ ଆଦମୀ ପାର୍ଟି(ଆପ)ର ପ୍ରମୁଖ ଅରବିନ୍ଦ କେଜରିୱାଲଙ୍କୁ ଭଗବାନ ଦର୍ଶାଇଛନ୍ତି । ପଟପଡଗଞ୍ଜ ଆସନରୁ ଆପର ପ୍ରାର୍ଥୀ ଅବଧ ଓଝା କେଜରିୱାଲଙ୍କୁ କୃଷ୍ଣଙ୍କ ଅବତାର ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସମାଜର କଂସମାନେ ତାଙ୍କ ପଛରେ ପଡିଛନ୍ତି । ସମାଜର କଂସ ଚାହାନ୍ତି ନାହିଁ ଯେ, ଗରିବଙ୍କ ପାଇଁ ଭଲ କାମ ହେଉ । ସେହି ଲୋକମାନେ କେଜରିୱାଲଙ୍କ ପଛରେ ଏଥିପାଇଁ ପଡିଛନ୍ତି ଯେ, କାଳେ କେଜରିୱାଲ ୨୦୨୯ରେ ପ୍ରଧାନମନ୍ତ୍ରୀ ନ ହୋଇ ଯାଆନ୍ତୁ ।
ଅବଧ ଓଝା ନ୍ୟୁଜ ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ ଦେଇଥିବା ଏହି ବୟାନ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । ଓଝା କହିଛନ୍ତି, କେଜରିୱାଲ ଜୀ ନିଶ୍ଚିତ ଭାବେ ଭଗବାନ, ମୁଁ ତ କହୁଛି ସେ ଶ୍ରୀକୃଷ୍ଣଙ୍କ ଅବତାର । ଯେବେ କୌଣସି ବ୍ୟକ୍ତି ସମାଜ ପାଇଁ ଓ ଲୋକଙ୍କ ହିତ ପାଇଁ କାମ କରନ୍ତି ତାଙ୍କ ପଛରେ କଂସମାନେ ପଡି ଯାଆନ୍ତି । ନଚେତ୍ ଭଗବାନ କୃଷ୍ଣ ଜେଲରେ କେମିତି ଜନ୍ମ ନେଇଥାନ୍ତେ । ଦେବକୀ ଓ ବାସୁଦେବ କଂସର କଣ ଭୁଲ୍ କରିଥିଲେ । ସମାଜର କଂସ ଚାହେଁ ନାହିଁ ଯେ, କେହି ଗରିବଙ୍କ ପାଇଁ କାମ କରୁ ।
ଅବଧ ଓଝା ଏହା ମଧ୍ୟ କହିଛନ୍ତି, କେଜରିୱାଲ ଦୂରଦର୍ଶୀ ଓ ତାଙ୍କ ନିକଟରେ ଭଗବାନଙ୍କ ଲକ୍ଷଣ ରହିଛି । ଦିଲ୍ଲୀରେ ଯେଉଁ ସ୍ଥିତି ତାକୁ ନେଇ ସେ ପୂରା ଦେଶରେ ଉଦାହରଣ ପାଲଟିଛନ୍ତି । ସମସ୍ତଙ୍କ ଅବସ୍ଥା ଖରାପ ଯେ, କାଳେ ୨୦୨୯ରେ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନ ହୋଇ ଯାଆନ୍ତୁ । ତେଣୁ ଲୋକେ ତାଙ୍କ ପଛରେ ପଡି ଯାଇଛନ୍ତି । ସେ ବିଲକୁଲ ଭଗବାନ, ମୁଁ ତ କହୁଛି ସେ ଭଗବାନ । ଶିକ୍ଷାକୁ ମାଗଣା କରି ଦେଲେ ।