ଯେରୁସେଲମ୍: ଇରାନର ରାଜଧାନୀ ତେହେରାନରେ ହମାସର ପୂର୍ବତନ ମୁଖ୍ୟ ଇସମାଇଲ ହାନିୟେହଙ୍କୁ ହତ୍ୟା କରିଥିବା ଇସ୍ରାଏଲ ମଙ୍ଗଳବାର ସ୍ୱୀକାର କରିଛି। ଏହା ସହ ୟେମେନରେ ହୁଥି ବିଦ୍ରୋହୀଙ୍କ ନେତୃତ୍ୱକୁ ଧ୍ୱଂସ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ କହିଛନ୍ତି ଯେ ଆମେ ହୁତିମାନଙ୍କୁ କଠୋର ଆକ୍ରମଣ କରିବୁ। ଆମେ ସେମାନଙ୍କ ନେତୃତ୍ୱକୁ ନଷ୍ଟ କରିଦେବୁ -ଯେପରି ଆମେ ତେହେରାନ, ଗାଜା ଏବଂ ଲେବାନନରେ ହାନିଆ, (ୟାହ୍ୟା) ସିନୱାର ଏବଂ (ହାସନ) ନସରଲ୍ଲାଙ୍କ ସହିତ କରିଥିଲୁ, ଆମେ ହୋଡେଇଦା ଏବଂ ସାନାରେ ଏହା କରିବୁ।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ତାଙ୍କ ବିବୃତ୍ତିରେ ଆହୁରି କହିଛନ୍ତି ଯେ, ଯିଏ ଇସ୍ରାଏଲ ବିରୋଧରେ ହାତ ଉଠାଇବ, ତା'ର ହାତ କାଟି ଦିଆଯିବ।
ଚଳିତ ବର୍ଷ ଜୁଲାଇ ୩୧ତାରିଖରେ ହନିଆଙ୍କ ହତ୍ୟାର ପାଖାପାଖି ପାଞ୍ଚ ମାସ ପରେ ଇସ୍ରାଏଲ ତାଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସରକାର ହମାସର ପୂର୍ବତନ ମୁଖ୍ୟଙ୍କ ହତ୍ୟାକୁ କେବେ ବି ସ୍ୱୀକାର କରିନାହାନ୍ତି। କିନ୍ତୁ ହମାସ ଓ ଇରାନ ଇସ୍ରାଏଲକୁ ଦୋଷ ଦେଇ ଚାଲିଥିଲେ।
ସୂଚନାଯୋଗ୍ୟ, ଗତ ଜୁଲାଇ ୩୧ ତାରିଖରେ ତେହେରାନର ଏକ ଗେଷ୍ଟହାଉସରେ ବିସ୍ଫୋରଣ ଘଟି ହାନିୟେହଙ୍କ ମୃତ୍ୟୁ ହୋଇଥିଲା। ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ହାନିୟେହ ଆସିବାର କିଛି ସପ୍ତାହ ପୂର୍ବରୁ ଇସ୍ରାଏଲର ସଦସ୍ୟମାନେ ବିସ୍ଫୋରକ ରଖିଥିବା ଜଣାପଡିଛି। ଇରାନର ରିଭୋଲ୍ୟୁସନରୀ ଗାର୍ଡସ ଦାବି କରିଛି ଯେ ହନିୟେହଙ୍କୁ ତାଙ୍କ ବାସଭବନ ବାହାରୁ ଆରମ୍ଭ ହୋଇଥିବା ଏକ କ୍ଷୁଦ୍ର ଦୂରତା ବିଶିଷ୍ଟ ପ୍ରୋଜେକ୍ଟାଇଲ ବ୍ୟବହାର କରି ହତ୍ୟା କରାଯାଇଛି। ହାନିଆଙ୍କ ହତ୍ୟା ପରେ ଏହି ଅଞ୍ଚଳରେ ଇରାନ ଓ ଇସ୍ରାଏଲ ମଧ୍ୟରେ ସର୍ବକାଳୀନ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା ଏବଂ ତେହେରାନ ଏବଂ ଏହାର ସହଯୋଗୀ ହମାସ ଏବଂ ହେଜବୁଲ୍ଲାର ଧମକ ପରେ ଆମେରିକା ଅତିରିକ୍ତ ଯୁଦ୍ଧ ବିମାନ ଏବଂ ନୌସେନା ଯୁଦ୍ଧ ଜାହାଜ ମୁତୟନ କରିଥିଲା।
ଅଧିକ ପଢ଼ନ୍ତୁ: ଅଜମେର-ଜୟପୁର ରାଜପଥରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା