ଆମେଥି: ଉତ୍ତର ପ୍ରଦେଶର ସମ୍ଭାଲ, ବାରାଣସୀ ଓ ବୁଲନ୍ଦସହର ପରେ ଏବେ ଆମେଥିରେ ୧୨୦ ବର୍ଷର ପୁରୁଣା ଶିବ ମନ୍ଦିର ଠାବ ହୋଇଛି, ଯାହାକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଏସଡିଏମଙ୍କୁ ଅଭିଯୋଗ ପତ୍ର ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏସଡିଏମ ଏହି ମାମଲାର ତଦନ୍ତ ଦାୟିତ୍ୱ ତହସିଲଦାରଙ୍କୁ ହସ୍ତାନ୍ତର କରିଛନ୍ତି।
ମୁସାଫିରଖାନା ଥାନା ଅଧୀନ ଔରଙ୍ଗାବାଦ ଗ୍ରାମରେ ଏହି ଘଟଣା ଘଟିଥିବା ବେଳେ ଗାଁରେ ଥିବା ୧୨୦ ବର୍ଷ ପୁରୁଣା ପଞ୍ଚ ଶିଖର ଶିବ ମନ୍ଦିରକୁ ନେଇ ବିବାଦ ଉପୁଜିଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ମନ୍ଦିରକୁ ନିଜ ଅକ୍ତିଆରକୁ ନେଇଛନ୍ତି ଏବଂ ଗତ ୨୦ ବର୍ଷ ଧରି ପୂଜା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୧୨୦ ବର୍ଷ ପୂର୍ବେ ଗାଁର ଏକ ଦଳିତ ପରିବାର ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ, ଯାହା ପରେ ଏହି ମନ୍ଦିର ଅଞ୍ଚଳବାସୀଙ୍କ ଆସ୍ଥାର କେନ୍ଦ୍ର ପାଲଟିଥିଲା। କିନ୍ତୁ ଗତ ଅନେକ ବର୍ଷ ଧରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଦ୍ୱାରା ମନ୍ଦିରରେ ପୂଜା ଉପରେ ପ୍ରତିବନ୍ଧକ ଲଗାଯାଇଛି, ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୋମବାର ଜିଲ୍ଲା ସାଧାରଣ ସମ୍ପାଦକ ଅତୁଲ ସିଂଙ୍କ ନେତୃତ୍ୱରେ ବିଜେପି ଘଟଣାସ୍ଥଳରେ ପହଞ୍ଚିଥିଲା। ଗ୍ରାମବାସୀ ଏସଡିଏମ ପ୍ରୀତି ତିୱାରୀଙ୍କୁ ଅଭିଯୋଗ ପତ୍ର ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସମଗ୍ର ମାମଲାର ତଦନ୍ତ ଦାୟିତ୍ୱ ତହସିଲଦାରଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ପ୍ରୀତି ତିୱାରୀ କହିଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢ଼ନ୍ତୁ: ଖ୍ରୀଷ୍ଟମାସରେ ପିଲାଙ୍କ ପାଇଁ ସାନ୍ତା କ୍ଲଜ୍ ତିଆରି କରିପାରିବେନି ସ୍କୁଲ