ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଅଦାଲତଠୁ ଲୋକପାଳକୁ ଲାଗିଲା ବଡ ଝଟକା । ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇ ଲୋକପାଳଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଲୋକପାଳଙ୍କ ସେହି ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି, ଯେଉଁଥିରେ ଲୋକପାଳ ନିଜକୁ ହାଇକୋର୍ଟର ବର୍ତ୍ତମାନ ଜଜଙ୍କ ତଦନ୍ତ କରିବାର ଅଧିକାର ପ୍ରଦାନ କରିଥିଲା । ସୁପ୍ରିମକୋର୍ଟ ଏହି ଆଦେଶରେ ମର୍ମାହତ ପ୍ରକାଶ କରିବା ସହ କେନ୍ଦ୍ର ସରକାର ଓ ଲୋକପାଳଙ୍କ ରେଜିଷ୍ଟ୍ରାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।
ପୂରା ମାମଲା କଣ ?
ଲୋକପାଳ ଜାନୁଆରୀ ୨୭ରେ ହାଇକୋର୍ଟରେ ବର୍ତ୍ତମାନ କାର୍ଯ୍ୟରତ ଜଣେ ଅତିରିକ୍ତ ବିଚାରପତିଙ୍କ ବିରୋଧରେ ଦୁଇଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଦେଶ ଜାରି କରିଥିଲା । ଅଭିଯୋଗ ହୋଇଥିଲା ଯେ, ଉକ୍ତ ଜଜ ଏକ ଘରୋଇ କମ୍ପାନି ପକ୍ଷରେ ନିଷ୍ପତ୍ତି ଶୁଣାଇବା ପାଇଁ ରାଜ୍ୟର ଜଣେ ଅତିରିକ୍ତ ଜିଲ୍ଲା ନ୍ୟାୟାଧିଶ ଓ ହାଇକୋର୍ଟର ଜଣେ ବିଚାରପତିଙ୍କୁ ପ୍ରଭାବିତ କରିଥିଲେ ।
ବିଚାରପତି ବି ଆର ଗବଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ଆଦେଶ ଉପରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି । କୋର୍ଟ ଲୋକପାଳଙ୍କ ଏହି ପଦକ୍ଷେପକୁ ନ୍ୟାୟପାଳିକାର ସ୍ୱାଧୀନତା ପ୍ରତି ବିପଦ ମାନି ତୁରନ୍ତ ଏଥିରେ ଦଖଲ ଦେଇଛନ୍ତି । ପୀଠରେ ସାମିଲ ଅନ୍ୟ ଦୁଇ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଅଭୟ ଏସ ଓକା ଅଭିଯୋଗକାରୀଙ୍କୁ ବିଚାରପତିଙ୍କ ନାମକୁ ଉଜାଗର କରିବା ଉପରେ ରୋକ୍ ଲଗାଇବା ସହିତ ପୂରା ମାମଲାକୁ ଗୋପନୀୟ ରଖିବାକୁ ଆଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଲୋକପାଳ ଓ ଲୋକାୟୁକ୍ତ ଅଧିନିୟମ ୨୦୧୩ ଆଧାରରେ ଭ୍ରଷ୍ଟାଚାର ମାମଲାରେ ତଦନ୍ତର ଅଧିକାର ଲୋକପାଳକୁ ଦିଆଯାଇଛି, ମାତ୍ର ପ୍ରଶ୍ନ ଉଠୁଛି ଯେ, କଣ ଲୋକପାଳ ବର୍ତ୍ତମାନ କାର୍ଯ୍ୟରତ ବିଚାରପତିଙ୍କ ତଦନ୍ତ କରି ପାରିବେ ? ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।