ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା କର୍ଣ୍ଣାଟକ ହାଇକୋର୍ଟରେ କିଙ୍ଗଫିସର ଏୟାରଲାଇନ୍ସ ବିରୋଧରେ ଚାଲିଥିବା ଋଣ ଆଦାୟ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଛନ୍ତି । ବିଜୟ ମାଲ୍ୟା ଦାବି କରିଛନ୍ତି ଯେ, କିଙ୍ଗଫିସର ଏୟାରଲାଇନ୍ସ ଉପରେ ପ୍ରାୟ ୬ ହଜାର ୨୦୦ କୋଟି ଟଙ୍କା ଋଣ ଥିଲା । ବ୍ୟାଙ୍କର ଅଧିକାରୀ ଋଣ ରାଶି ତୁଳନାରେ ଢେର ଅଧିକ ଅର୍ଥ ଆଦାୟ କରି ସାରିଛନ୍ତି । ମାଲ୍ୟାଙ୍କ ତରଫରୁ ଏହି ଯାଚିକା ୨୦୨୫ ଫେବୃଆରୀ ୩ ତାରିଖରେ ଦାୟର କରାଯାଇଥିଲା । ବୁଧବାର ବିଚାରପତି ଆର ଦେବଦାସ ଗୁପ୍ତାଙ୍କ ଦ୍ୱାରା ସଂକ୍ଷିପ୍ତ ଶୁଣାଣି ହୋଇଛି ।
ବିଜୟ ମାଲ୍ୟାଙ୍କ ତରଫରୁ ହାଜର ଓକିଲ ସାଜନ ପୂଭେୟା ହୋଇକୋର୍ଟକୁ ଜଣାଇଛନ୍ତି ଯେ ପର୍ଯ୍ୟନ୍ତ ସମ୍ବନ୍ଧିତ ପକ୍ଷମାନଙ୍କର ଶୁଣାଣି ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ଅନ୍ତରୀଣ ଆଶ୍ୱସ୍ତି ପାଇଁ ସେ କହୁ ନାହାନ୍ତି । କୋର୍ଟ ଏହି ଯାଚିକା ଉପରେ ଶୁଣାଣି କରି ୧୦ ବ୍ୟାଙ୍କ, ଜଣେ ଋଣ ଆଦାୟ ଅଧକାରୀ ଓ ଏକ ଆସେଟ୍ ରିକନଷ୍ଟ୍ରକ୍ସନ କମ୍ପାନିକୁ ନୋଟିସ୍ ଜାରି କରିଛନ୍ତି ।
ବିଜୟ ମାଲ୍ୟା ଚଳିତ ସପ୍ତାହ ଆରମ୍ଭରେ ଅନେକ ରାଷ୍ଟ୍ରୀୟ ଓ ଘରୋଇ ବ୍ୟାଙ୍କ(ଯେଉଁଥିରେ ଏସବିଆଇ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସାମିଲ) ବିରୋଧରେ ତାଙ୍କ ଋଣ ଆଦାୟ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ । ନିଜର ଯାଚିକାରେ ବିଜୟ ମାଲ୍ୟା ଅନୁରୋଧ କରିଛନ୍ତି ଯେ, ସଂପ୍ରତି ଏହି ରିକଭରି ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ ଏବଂ ଅନ୍ତରୀଣ ସ୍ଥଗିତ ଆଦେଶ ଜାରି କରାଯାଉ ।