ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ଏବଂ ଯୁଦ୍ଧ ବିରତି ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ବସିଛି ଉଚ୍ଚସ୍ତରୀୟ ବୈଠକ । ବୈଠକରେ ୩ ସେନାମୁଖ୍ୟ ସାମିଲ ହୋଇଛନ୍ତି । ଏଥିସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହ୍ୱାନ ମଧ୍ୟ ଉପସ୍ଥିତ ଅଛନ୍ତି ।
ଅସ୍ତ୍ରବିରତି ପରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାରୁ ଆଉ କିଛି ବଡ଼ ଅପଡେଟ୍ ଆସିବା ନେଇ ସମ୍ଭାବନା ରହିଛି । କାହିଁକି ନା ଗତକାଲି ଅସ୍ତ୍ରବିରତି ନେଇ ଦୁଇ ଦେଶ ରାଜି ହୋଇଥିଲେ ମଧ୍ୟ କିଛି ସମୟ ପାଇଁ ପାକିସ୍ତାନ ପଟୁ ଜାମ୍ମୁ ଓ କାଶ୍ମୀର ସମେତ କେତେକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା ଯାହାକୁ ପ୍ରତିହତ କରିଥିଲା ଭାରତୀୟ ସେନା । ଯୁଦ୍ଧ ବିରତି ହେବାର ଠିକ ୩ ଘଣ୍ଟା ପରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଚୁକ୍ତି ଭିତରେ ବି ଜାରି ରହିବ କଟକଣା । ସିନ୍ଧୁ ଜଳ ବୁଝାମଣା ନିଲମ୍ବିତ ରହିବ । ବ୍ୟବସାୟିକ ସମ୍ପର୍କ ବି ବନ୍ଦ ରହିବ । ରାଜନୈତିକ ସ୍ତରରେ ଯଥାସ୍ଥିତି ଜାରି ରହିବ । ଦୂତାବାସ ରାଜନୀତିଜ୍ଞଙ୍କୁ ଫେରାଇ ଅଣାଯିବ ନାହିଁ । ପାକିସ୍ତାନ ଉପରେ ଆର୍ଥିକ କ୍ଷେତ୍ରରେ ଲଗାଯାଇଥିବା ପ୍ରତିବନ୍ଧକ ଜାରି ରହିବ । କୌଣସି ବି ମାଲବାହୀ ଜାହାଜ ବନ୍ଦର ଦେଇ ଯାଇପାରିବ ନାହିଁ ।
ଗତ ଏପ୍ରିଲ ୨୨ରେ ପହଲଗାମ୍ ରେ ହୋଇଥିଲା ଆତଙ୍କୀ ହମଲା । ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ହାସିମ୍ ମୁସା ଓ ୩ଜଣ ସହଯୋଗୀ ମିଶି କରିଥିଲେ ଏହି ହମଲା । ପହଲଗାମର ଏହି ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ଆତଙ୍କବାଦ ବିରୋଧରେ ସାରା ଦେଶରୁ ଉଠିଥିଲା ପ୍ରତିବାଦର ସ୍ୱର । ମେ ୭ତାରିଖରେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା ଭାରତୀୟ ସେନା । ଅପରେସନ ସିନ୍ଦୂର ଜରିଆରେ ପହଲଗାମ ପ୍ରତିଶୋଧ ନେଲା ଭାରତ । ଶତ୍ରୁ ଘରେ ପଶି ଆତଙ୍କୀ ଆଡ୍ଡା ଧ୍ୱଂସ କରାଯାଇଥିଲା । ୯ଟି ଆତଙ୍କୀ ଠିକଣାରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା ।