ନୂଆଦିଲ୍ଲୀ: ଇରାନରେ ଅୟାତୁଲ୍ଲା ଅଲି ଖାମେନେଇଙ୍କ ଶାସନକୁ ପ୍ରଥମ ଥର ବାହାରୁ ଏବଂ ଭିତରୁ ବିରୋଧ ଏବଂ ଚାପର ସମ୍ମୁଖୀନ ହେବାକୁ ପଡିଛି । ଗୋଟିଏ ପଟେ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଅନ୍ୟପଟେ ଆମେରିକା ପକ୍ଷରୁ ଲଗାତାର ସାମରିକ ହସ୍ତକ୍ଷେପର ଧମକ ଦିଆଯାଉଛି । ଗତ ଚାରି ଦଶନ୍ଧି ଧରି ବିରୋଧୀ ଭୂମିକାରେ ରହି ଆସିଥିବା ନେତା ରଜା ପାହଲଭି ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି ।
ସେ ଶୀଘ୍ର ଇରାନ ଫେରିବାର ସଙ୍କେତ ଦେଇଛନ୍ତି । ଏମିତିରେ ନେତୃତ୍ୱ ପରିବର୍ତ୍ତନର ଅଟକଳ ଜୋର ଧରିଛି । ଏହା ମଧ୍ୟରେ ସମୀକ୍ଷକଙ୍କ କହିବା କଥା ଯଦି ଇରାନରେ ସରକାର ପରିବର୍ତ୍ତନ ହୁଏ ତେବେ ଭାରତକୁ ଝଟକା ଲାଗିବ । ଅନ୍ୟପଟେ ଚୀନ ଓ ପାକିସ୍ତାନ ପରି କିଛି ଦେଶକୁ ଫାଇଦା ମିଳିପାରେ ।
ପ୍ରଥମ କାରଣ ପାକିସ୍ତାନ ସଡକ ପଥ ଜରିଆରେ ପଶ୍ଚିମ ଏସିଆ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଭାରତର ଉଦ୍ୟମକୁ ଝଟକା ଲାଗିପାରେ । କାରଣ ଏଥିରେ ଇରାନର ବର୍ତ୍ତମାନ ସରକାର ଭାରତକୁ ସହଯୋଗ କରି ଆସିଛି । ବର୍ଷ ବର୍ଷ ଧରି ଇରାନ ଓ ଭାରତ ଏହି ମାମଲାରେ ସହଭାଗିତା ଭାବେ କାମ କରି ଆସିଛନ୍ତି । ଚାବାହାର ବନ୍ଦର ଏହାର ବଡ ଉଦାହରଣ । ଚାବାହାର ବନ୍ଦରକୁ ଚୀନ ଓ ପାକିସ୍ତାନ ଦ୍ୱାରା ନିର୍ମିତ ଗ୍ୱାଦର ପୋର୍ଟର ମୁକାବିଲା ଭାବେ ଦେଖାଯାଏ ।
ଏହା ବ୍ୟତୀତ ସୁନ୍ନି ମୁସଲମାନ ଦେଶ ପାକିସ୍ତାନ ଯେବେ ଉମ୍ମାଙ୍କ ନାମରେ ଇସଲାମିକ ଏକତାର କଥା କହେ ଏଥିରେ ଇରାନ ଏକ କାଉଣ୍ଟର ପରି କାମ କରିଥାଏ । ଭାରତ ପାଇଁ ଏହା ସୁବିଧାଜନକ ସ୍ଥିତି ପ୍ରଦାନ କରିଥାଏ । କିନ୍ତୁ ଯେବେ ଇରାନରେ ଆମେରିକାର ପିଟ୍ଟୁ ସରକାର ହେବ ଏହା ଭାରତ ପାଇଁ ସ୍ଥିତି ବିପରୀତ ହେବ ।
Also read: ଚାକିରି ଚୋର, ଭିସା ସ୍କାମର... ୟୁଏସରେ ଭାରତୀୟଙ୍କୁ ଟାର୍ଗେଟ୍, ଟ୍ରମ୍ପଙ୍କ ନୀତିରେ ବିଗିଡିଲା ମାହୋଲ