ଝାନ୍ସି: ଉତ୍ତରପ୍ରଦେଶର ଝାନ୍ସିସ୍ଥିତ ମେଡିକାଲ କଲେଜର ନବଜାତ ଶିଶୁ ୱାଡ (ଏନ୍ଆଇସିୟୁ)ରେ ଶୁକ୍ରବାର-ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ସକାଳେ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦେବା ସହ ଆହତ ଶିଶୁମାନଙ୍କୁ ଚିକିତ୍ସା କରାଯାଉଛି ବୋଲି କହିଛନ୍ତି। ଆମେ ଆର୍ଥିକ ସହାୟତା କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ । ଡେପୁଟି ସିଏମ୍ ବ୍ରଜେଶ ପାଠକ କହିଛନ୍ତି, ନବଜାତ ଶିଶୁଙ୍କ ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପରିବାର ଲୋକଙ୍କ ସହ ମିଶି ନବଜାତ ଶିଶୁଙ୍କ ମୃତଦେହକୁ ଚିହ୍ନିବାକୁ ଚେଷ୍ଟା କରୁଛୁ। ପ୍ରଥମ ତଦନ୍ତ ପ୍ରଶାସନିକ ସ୍ତରରେ କରାଯିବ, ଯାହାସ୍ୱାସ୍ଥ୍ୟ ବିଭାଗ କରିବ, ଦ୍ବିତୀୟ ତଦନ୍ତ ପୁଲିସ ପ୍ରଶାସନ କରିବ। ଏଥିରେ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟ ସାମିଲ ହେବେ, ତୃତୀୟତଃ ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯିବ ବୋଲି ଡେପୁଟି ସିଏମ୍ କହିଛନ୍ତି। ଯଦି କୌଣସି ତ୍ରୁଟି ଦେଖାଯାଏ ତେବେ ଯିଏ ଦାୟୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କାହାରିକୁ ଛଡ଼ାଯିବ ନାହିଁ, ସରକାର ପିଲାଙ୍କ ପରିବାର ସହିତ ଅଛନ୍ତି।
ଝାନ୍ସୀ ସିଏମଏସ ସଚିନ ମେହର କହିଛନ୍ତି ଯେ ମହାରାଣୀ ଲକ୍ଷ୍ମୀ ବାଇ ମେଡିକାଲ କଲେଜର ଏନଆଇସିୟୁ ୱାର୍ଡରେ ୫୪ ଜଣ ଶିଶୁ ଭର୍ତ୍ତି ହୋଇଥିଲେ। ହଠାତ୍ ନିଆଁ ଲାଗିଯାଇଥିଲା, ଯାହାକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ତେବେ ଅଧିକାଂଶ ଶିଶୁ ଅକ୍ସିଜେନ୍ ସପୋର୍ଟରେ ଥିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିଥିଲା।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାନ୍ସୀ ଦୁର୍ଘଟଣା ଉପରେ ପୋଷ୍ଟ କରି ଲେଖିଛନ୍ତି- "ଝାନ୍ସୀ ଜିଲ୍ଲାର ମେଡିକାଲ କଲେଜର ଏନଆଇସିୟୁରେ ଏକ ଦୁର୍ଘଟଣାରେ ଶିଶୁଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ହୃଦୟ ବିଦାରକ। ଯୁଦ୍ଧକାଳୀନଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭଗବାନ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଦିବଂଗତ ଆତ୍ମାମାନଙ୍କୁ ମୁକ୍ତି ଦିଅନ୍ତୁ ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ ଦିଅନ୍ତୁ।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି