ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାକୁ ନେଇ ସଡକରୁ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ବିଜେପି ପାଇଁ ବଡ ଝଟକା କୁହାଯାଉଛି । ତେବେ ଏହି ବିଷୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନି ବଡ ରୋଚକ ଜବାବ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି, ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆ ହରିୟାଣାର ହୀରା । ସେମାନେ ଦେଶର ରତ୍ନ ଓ ଭାରତ ପାଇଁ ଗୌରବ ଆଣିଛନ୍ତି । ମାତ୍ର କଂଗ୍ରେସ ରାଜନୀତି କରୁଛି । ଏହା ଦୁଭାର୍ଗ୍ୟପୂର୍ଣ୍ଣ । ଏମିତି ହେବା ଉଚିତ୍ ନୁହେଁ । ଆଜି ଭୂପେନ୍ଦ୍ର ସିଂହ ହୁଡ୍ଡା କହୁଛନ୍ତି, ତାଙ୍କ ପାଖରେ ଯଦି ବିଧାୟକ ଥାଆନ୍ତା ତେବେ ରାଜ୍ୟସଭା ପଠାଇ ଦେଇଥାନ୍ତେ । ଏହି ଖେଳାଳି ଯେବେ ପଦକ ଜିତିଥିଲେ ସେହି ସମୟରେ ଏମାନଙ୍କ ସରକାର ଥିଲା । ସେହି ସମୟରେ କାହିଁକି କିଛି କଲେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସାଇନି ପ୍ରଶ୍ନ କରିଛନ୍ତି ।
ନାଏବ ସିଂହ ସାଇନି କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ନିଷ୍ପତ୍ତି ସେ ସିଏଏ ହେଉ କିମ୍ବା କୃଷକ ଆନ୍ଦୋଳନ, କଂଗ୍ରେସ ସବୁଥିରେ ରାଜନୀତି କରୁଛି । କୌଣସି କାମ ଯଦି ଭଲ କରିଛୁ ତେବେ କିଛି ତ ସତ କୁହ । ତେଣୁ କଂଗ୍ରେସକୁ ସବୁ କ୍ଷେତ୍ରରେ ରାଜନୀତି କରିବା ଉଚିତ୍ ନୁହେଁ ।
ହରିୟାଣାର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନି ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଭବିଷ୍ୟତବାଣୀ କରିଛନ୍ତି । ନାଏବ ସିଂହ ସାଇନି ରାଜ୍ୟରେ ତୃତୀୟ ଥର ବିଜେପି ସରକାର ଗଠନ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ଡବଲ ଇଞ୍ଜିନର ସରକାରଙ୍କ ନେତୃତ୍ୱରେ ଦେଶ ଏବଂ ରାଜ୍ୟ ବିକାଶ ମାର୍ଗରେ ଗତି କରିବ ।