ଆଇଆଇଟି ବନାରସ କ୍ୟାମ୍ପସ ଭିତରେ ଛାତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଅସଦାଚରଣ କରିବା ,ବିବସ୍ତ୍ର କରି ଭିଡ଼ିଓ ଉତ୍ତୋଳନ କରିବା ,ଚିତ୍କାର କରିବାରୁ ମାରଧର କରିବା ଭଳି ଅତ୍ୟନ୍ତ ଲଜ୍ଜ୍ୟାଜନକ ,ନିନ୍ଦନୀୟ ଓ ବର୍ବର ଘଟଣା ପ୍ରତିବାଦରେ ଏ.ଆଇ.ଡି.ଏସ.ଓ ପକ୍ଷରୁ ଆଜି ସର୍ବଭାରତୀୟ 'କଳା ଦିବସ' ପାଳନର ଆହ୍ୱାନ ଦିଆଯାଇଛି | ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସିଟି କମିଟି ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା | ଅବିଳମ୍ବେ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସମସ୍ତ ଛାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା , ସମସ୍ତ କ୍ୟାମ୍ପସରେ ଗଣତାନ୍ତ୍ରିକ ଓ ସାଂସ୍କୃତିକ ବାତାବରଣ ସୃଷ୍ଟି କରିବା ପାଇଁ ସଙ୍ଗଠନର ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ,ଭୁବନେଶ୍ୱର ସିଟି କମିଟି ସଭାପତି ନସିମ ସରକାରଙ୍କ ସମେତ ରମାଦେବୀ ଛାତ୍ରୀମାନେ ମିଶି ଦୃଢ଼ ଦାବି କରିଛନ୍ତି |
କିଛିଦିନ ତଳେ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) କ୍ୟାମ୍ପସରେ ଏକ ଭୟାନକ ଘଟଣା ଘଟିଥିଲା | ଯାହାକୁ ନେଇ ବର୍ତ୍ତମାନ ଚାରିଆଡେ ବଡ଼ ଧରଣର ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନାନୁଯାୟୀ, ବୁଧବାର ରାତିରେ, ତିନିଜଣ ଯୁବକ ବାଇକରେ ଆସି ବନାରସ ଆଇଆଇଟି ହଷ୍ଟେଲ ନିକଟରେ ଜଣେ ବିଟେକ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ସହ ଅସଦାଚରଣ କରିଥିଲେ। ଉକ୍ତ ଯୁବକମାନେ ଛାତ୍ରୀ ଜଣକୁ ନିର୍ଯାତନା ଦେବା ସହିତ ଘଟଣାସ୍ଥଳରେ ଭିଡ଼ିଓ ଉତ୍ତୋଳନ କରିଥିଲେ । ବୁଧବାର ବିଳମ୍ବିତ ରାତିରେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିବା ପରେ ଗୁରୁବାର ସକାଳେ କ୍ୟାମ୍ପସରେ ଉନ୍ନତ ସୁରକ୍ଷା ଦାବିରେ ଅନୁଷ୍ଠାନର ନିର୍ଦ୍ଦେଶକ କାର୍ଯ୍ୟାଳୟରେ ଶତାଧିକ ଛାତ୍ର ଏକତ୍ରିତ ହୋଇଥିଲେ ବିରୋଧ କରିଥିଲେ।
ଅଧିକ ପଢ଼ନ୍ତୁ : ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ : ଦୁଇ ଦିନ ସ୍କୁଲ ଛୁଟି