ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀ ଦିଲ୍ଲୀରେ ୩ ବର୍ଷ ପରେ ଗତ ଅକ୍ଟୋବର ସବୁଠୁ ପ୍ରଦୂଷିତ ରହିଥିଲା ବେଳେ ବର୍ତ୍ତମାନ ଚିନ୍ତାଜନକ ପରିସ୍ଥିତି ଉପୁଜିଛି । ସଫର ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଅକ୍ଟୋବରରେ ଏୟର କ୍ଵାଲିଟି ଇଣ୍ଡେକ୍ସ ୩୨୭ ଥିବାବେଳେ ଆଜି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ବିପଜ୍ଜନକ ୪୦୦ ସ୍ତର ଟପିଛି । ବାୟୁ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖା ନ ଯିବା ସହ ସୂର୍ଯ୍ୟକିରଣ ମଧ୍ୟ ଠିକ୍ ଭାବେ ଦେଖାଯାଉନାହିଁ ।
ଦିଲ୍ଲୀରେ ଗୁରୁବାର ଅପରାହ୍ନ ୩ଟା ସୁଦ୍ଧା ଏକ୍ୟୁଆଇ ୩୭୮ରେ ପହଞ୍ଚିଥିଲା। ବୁଧବାର ଏହା ହାରାହାରି ୩୬୪ ରହିଥିଲା। ପଞ୍ଜାବୀ ବାଗ୍ରେ ଏକ୍ୟୁଆଇ ୪୩୯, ଦ୍ଵାରିକା ସେକ୍ଟର-୮ରେ ୪୨୦, ଜାହାଙ୍ଗୀରପୁରୀରେ ୪୦୩, ରୋହିଣିରେ ୪୨୨, ନରେଲାରେ ୪୨୨, ନ୍ୟୁ ମୋତି ବାଗ୍ରେ ଏଆଇକ୍ୟୁ ୪୦୬ ରେକର୍ଡ କରାଯାଇଛି, ଯାହା କି ଅତି ଖରାପ ବାୟୁ ଗୁଣବତ୍ତା ରହିଛି ।
ସାଧାରଣତଃ ଏକ୍ୟୁଆଇ୦ରୁ ୫୦ ମଧ୍ୟରେ ରହିଲେ ତାହା ଭଲ, ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ସାମାନ୍ୟ ଖରାପ, ୨୦୧ରୁ ୩୦୦ ଖରାପ, ୩୦୧ରୁ ୪୦୦ ଅତି ଖରାପ ଏବଂ ଏକ୍ୟୁଆଇ ୪୦୧ରୁ ୫୦୦ ରହିଲେ ତାହା ବିପଜ୍ଜନକ ହୋଇଥାଏ । ଏପରି ସ୍ଥିତିରେ ଯିଏମ୍୨.୫ ସୂକ୍ଷ୍ମ କଣିକାକୁ ମଣିଷ ଶ୍ଵାସକ୍ରିୟରେ ନେଇଥାଏ ଯାହା କି ବିଶେଷକରି ଛୋଟପିଲା ଏବଂ ବୟସ୍କ ଲୋକଙ୍କ ପାଇଁ ଶ୍ୱାସ ଓ ଫୁସ୍ଫୁସ୍ ସଂକ୍ରମଣର କାରଣ ହୋଇଥାଏ । ପିଏମ୍,୫ ସୂକ୍ଷ୍ମ କଣିକା କ୍ୟୁବିକ୍ ମିଟର ପିଛା ୬୦ ମାଇକ୍ରୋଗ୍ରାମ୍ ରହିଲେ ତାହାକୁ ସୁରକ୍ଷିତ ବିବେଚନା କରାଯାଏ । କିନ୍ତୁ ଦିଲ୍ଲୀର ଏହି ଅଞ୍ଚଳଗୁଡ଼ିକରେ ପ୍ରଦୂଷଣ ୬ରୁ ୭ ଗୁଣା ଅଧିକ ରହିଛି । ତେବେ ପରିସ୍ଥିତିକୁ ଦେଖି ଆଜି ଓ କାଲି ଦିଲ୍ଲୀରେ ସମସ୍ତ ପ୍ରାଥମିକ ସ୍କୁଲ ଛୁଟି ଅନଲାଇନ୍ରେ ପାଠ ପଢ଼ାଇବାକୁ ସ୍କୁଲଗୁଡ଼ିକୁ ପରାମର୍ଶ ଦିଆ ଯାଇଛି ।
ସେହିପରି ମୁମ୍ବାଇରେ ମଧ୍ୟ ଦିଲ୍ଲୀ ଭଳି ପରିସ୍ଥିତି ଉପୁଜିଛି । ଏଠାକାର ବାୟୁ ଗୁଣବତ୍ତା ବେଶ୍ ଖରାପ ରହିଛି । ଏଥିପାଇଁ ମୁମ୍ବାଇ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏକ ମାର୍ଗଦର୍ଶିକା ଜାରି କରିଛି । ଏଥିରେ ହିନ୍ଦୁସ୍ତାନ ପେଟ୍ରୋଲିୟମ, ଟାଟା ପାୱାର ସମେତ ଅନ୍ୟ କମ୍ପାନୀଗୁଡ଼ିକୁ ନିଜ ଉତ୍ପାଦନ ଅଧା କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।