ଦେବଦୂତ ସାଜିଲେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି । ପୁଣିଥରେ ହିରୋ ସାଜି ଲୋକଙ୍କ ଜୀବନ ବଞ୍ଚାଇ ସବୁଆଡେ ଚର୍ଚାର ବିଷୟ ପାଲଟିଛନ୍ତି। କ୍ରିକେଟ ୱାର୍ଲଡ କପ୍ରେ ଦମ୍ଦାର ପ୍ରଦର୍ଶନ କରି ମୈଦାନରେ ହିରୋ ସାଜିଥିଲେ ମହମ୍ମଦ ଶାମି। ଆଉ ଏବେ ଲୋକଙ୍କ ଜୀବନ ବଞ୍ଚାଇ ଦେବଦୁତ ସାଜିଛନ୍ତି । ଏହି ଘଟଣା ଘଟିଛି ଉତ୍ତରାଖଣ୍ଡରେ । ବିଶ୍ୱକପରେ ଭାରତ ହାରିଯାଇଥିଲେ ମଧ୍ୟ ଶାମି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ବିଶ୍ୱକପର ୭ ମ୍ୟାଚରେ ୨୪ ୱିକେଟ ଦଖଲ କରି ସମସ୍ତଙ୍କୁ ନିଜ ଯାଦୁ ଦେଖାଇଛନ୍ତି ।
ସୂଚନା ଅନୁଯାୟୀ, ଶନିବାର ଶାମି ଛୁଟି କାଟିବା ପାଇଁ ଉତ୍ତରାଖଣ୍ଡର ନୈନିତାଲ ଯାଉଥିଲେ । ଏହି ସମୟରେ ଏକ କାର ପାହାଡ଼ିଆ ରାସ୍ତାରେ ଯାଉଥିବାବେଳେ ଖସି ଯାଇ ଏକ ଖାଲ ତଳେ ଗଡ଼ିଯାଇଥିଲା।ସେହି କାର୍ରେ ପ୍ରାୟ ତିନିରୁ ଚାରି ଜଣ ଥିଲେ। ଏହା ଦେଖି ଶାମି ନିଜ କାରକୁ ଅଟକାଇ ସେହିଲୋକଙ୍କୁ ସାହାଯ୍ୟ କରିବାକୁ ହାତ ବଢାଇଥିଲେ। ନିଜ ସାଥୀଙ୍କ ସହାୟତାରେ କାର ଭିତରୁ ଆହତଙ୍କୁ ଉଦ୍ଧାର କରିଥିଲେ ।ଏହାପରେ ଶାମି ଖୋଦ୍ ତାଙ୍କର ପ୍ରାଥମିକ ଚିକିତ୍ସା କରି ସେମାନଙ୍କୁ ହସ୍ପିଟାଲକୁ ନେଇଥିଲେ।
ତେବେ ଏହାର ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶାମି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଏହାର ଭିଡିଓ ସେୟାର କରିଛନ୍ତି । ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ ମହମ୍ମଦ ଶାମି ନିଜେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟାକ୍ତିଙ୍କର ପ୍ରାଥମିକ ଚିକିତ୍ସା କରୁଛନ୍ତି । ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶାମି ଲେଖିଛନ୍ତି, "ସେ ବହୁତ ଭାଗ୍ୟବାନ, ଭଗବାନ ତାଙ୍କୁ ଦ୍ୱିତୀୟ ଜୀବନ ଦେଇଛନ୍ତି। ତାଙ୍କ କାର ନୈନିତାଲ ନିକଟ ଏକ ପାହାଡ ରାସ୍ତାରୁ ଖସି ପଡିଥିଲା। ଆମେ ତାଙ୍କୁ ବହୁତ ସୁରକ୍ଷିତ ଭାବରେ ବାହାରକୁ ନେଇଥିଲୁ।" ସେ ଆହୁରି କହିଛନ୍ତି କି କାହାର ଜୀବନ ବଞ୍ଚାଇ ବହୁତ ଖୁସି ବହୁତ ଖୁସି ଲାଗୁଛି । ୩୧ ସେକେଣ୍ଡର ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଅଧିକରୁ ଅଧିକ ଭାଇରାଲ ହେବରେ ଲାଗିଛି। ଶାମୀଙ୍କର ଏହି ମହନୀୟତା ପାଇଁ ସାରା ଭାରତ ବର୍ଷରେ ପ୍ରଶଂସାର ସୁଅ ଛୁଟୁଛି ।
ଅଧିକ ପଢନ୍ତୁ :ଆରମ୍ଭ ହେବ ଖେଲୋ ଇଣ୍ଡିଆ ପାରା ଗେମ୍ସ