ନୂଆଦିଲ୍ଲୀ, ଜାନୁଆରୀ 15 (ଖବର ଓଡିଶା) :
ଆଜି ଜାନୁଆରୀ ୧୫ ଭାରତୀୟ ସେନା ଦିବସ । ଭାରତୀୟ ସେନାକୁ ସମ୍ମାନ ଦେବା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।
ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ଲଢ଼େଇ ବିଶ୍ୱ ପାଇଁ ଉଦାହରଣ ପାଲଟିଛି । ଦେଶରେ ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ସେନା ସର୍ବଦା ସଜାଗ ରହିଥାଏ । ଭାରତୀୟ ସେନାଙ୍କ ସାହସ ଓ ଦେଶପ୍ରେମ ସବୁବେଳେ ସାଧାରଣ ନାଗରିକଙ୍କୁ ପ୍ରେରଣା ଯୋଗାଇଥାଏ । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଦେଶବାସୀ ଶାନ୍ତିରେ ରହିଥାନ୍ତି । ସୀମାରେ ଦେଶକୁ ସୁରକ୍ଷା ଦେବା ସହ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଏମାନଙ୍କ ଅତୁଳନୀୟ ଅବଦାନ ରହିଛି ।