ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଘୋଷଣା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ରଣନୈତିକ ସଂପର୍କରେ ତିକ୍ତତା ଦେଖିବାକୁ ମିଳିଛି । ଟ୍ରମ୍ପ କହିଛନ୍ତି, ଭାରତ ଏ ପର୍ଯ୍ୟନ୍ତ ଆମେରିକା ସହିତ କମ ବାଣିଜ୍ୟ କରିଛି । ପୁଣି ଭାରତ ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଶୁଳ୍କ ଲଗାଉଛି । ଟ୍ରମ୍ପ ସରକାରଙ୍କ ଟାରିଫ ଘୋଷଣା ପରେ ଭାରତ ଆମେରିକାଠୁ ଏଫ-୩୫ ଲଢୁଆ ବିମାନ ନ କିଣିବାକୁ ମନସ୍ଥ କରିଛି ।
ଭାରତ ଏକ ପ୍ରକାରର ପାଲଟା ଜବାବ ଦେଇ ଆମେରିକାକୁ ଜଣାଇ ଦେଇଛି ଯେ, ଏବେ ଏଫ-୩୫ ଷ୍ଟିଲଥ ଲଢୁଆ ବିମାନ କିଣିବାକୁ ଆଉ ଆମର ଆଗ୍ରହ ନାହିଁ । ବ୍ଲୁମର୍ଗ ନିଜର ଏକ ରିପୋର୍ଟରେ ଏହାର ଖୁଲାସା କରିଛି । ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଏହି ଜେଟ୍ କିଣିବା ପାଇଁ ଟ୍ରମ୍ପ ଭାରତକୁ ପ୍ରସ୍ତାବ ଦେଇଥିଲେ । ହେଲେ ଆମେରିକା ଦ୍ୱାରା ୨୫ ପ୍ରତିଶତ ଟାରିଫ ଲଗାଯିବା ପରେ ଭାରତ ଏବେ ଏଫ-୩୫ ଲଢୁଆ ବିମାନ କିଣିବାକୁ ଅନିଚ୍ଛା ପ୍ରକାଶ କରିଛି ।
ଏବେ ଭାରତ ସ୍ୱଦେଶୀ ଜ୍ଞାନ କୌଶଳ ଡିଜାଇନ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଉଛି । ମୋଦୀ ସରକାର ଏମିତି ଏକ ପ୍ରତିରକ୍ଷା ମଡେଲର ସନ୍ଧାନରେ ଅଛନ୍ତି, ଯେଉଁଥିରେ ମେକ ଇନ ଇଣ୍ଡିଆ ଆଧାରରେ ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟାର ହସ୍ତାନ୍ତରଣ ହୋଇ ପାରୁଥିବ । ଏହା ବାଦ୍ ଭାରତ ଆମେରିକାଠୁ ନିଜର ପ୍ରାକୃତିକ ଗ୍ୟାସ୍ ଆମଦାନୀ, ସଞ୍ଚାର ଉପକରଣ ଓ ସୁନା କ୍ରୟରେ ବୃଦ୍ଧି ଉପରେ ବିଚାର କରୁଛି, ଯଦ୍ୱାରା ଆଗାମୀ ତିନି ଚାରି ବର୍ଷରେ ଭାରତ-ଆମେରିକା ବାଣିଜ୍ୟ ମଧ୍ୟରେ ଥିବା ଅସନ୍ତୁଳନକୁ କମ କରାଯାଇ ପାରିବ ।