ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ଦ୍ୱିତୀୟ ଭଏସ୍ ଅଫ୍ ଦ ଗ୍ଲୋବାଲ୍ ସାଉଥ୍ " ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ଯୋଗଦେଇ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜ ମନର ବାର୍ତ୍ତାକୁ ପ୍ରକାଶ କରି କହିଛନ୍ତି ଯେ, ଏହି ଶିଖର ସମ୍ମିଳନୀରେ ଲାଟିନ ଆମେରିକା ଏବଂ କେରିବିୟାନ ଦେଶ ଠାରୁ ଆରମ୍ଭ କରି ଆଫ୍ରିକା, ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶ ପର୍ଯ୍ୟନ୍ତ ପ୍ରାୟ ୧୩୦ଟି ଦେଶ ଅଂଶଗ୍ରହଣ କରିଥିଲେ । ବର୍ଷକ ମଧ୍ୟରେ ଗ୍ଲୋବାଲ ସାଉଥର ଦୁଇଟି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି ଆଉ ଏହି ସମ୍ମିଳନୀରେ ସମସ୍ତେ ଯୋଗ ଦେବା ବିଶ୍ୱ ପାଇଁ ଏକ ବଡ଼ ବାର୍ତ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇ କହିଛନ୍ତି ଯେ, ଗ୍ଲୋବାଲ ସାଉଥ୍ ତା'ର ସ୍ୱାଧୀନତା ଚାହୁଁଛି ଏବଂ ଗ୍ଲୋବାଲ ସାଉଥ୍ ବିଶ୍ୱ ଶାସନରେ ନିଜର ସ୍ୱର ଚାହୁଁଛି ଆଉ ପୁଣି ବିଶ୍ୱ ବ୍ୟାପାରରେ ବଡ଼ ଦାୟିତ୍ୱ ନେବାକୁ ଗ୍ଲୋବାଲ ସାଉଥ୍ ପ୍ରସ୍ତୁତ ବୋଲି ବାର୍ତ୍ତା ମଧ୍ୟ ଦେଇଛନ୍ତି ।
ଏହି ଆୟୋଜିତ ହୋଇଥିବା ଶିଖର ସମ୍ମିଳନୀ ସମସ୍ତଙ୍କୁ ପୁଣି ଥରେ ମିଳିତ ଆଶା ଓ ଆକାଂକ୍ଷା ଉପରେ ଆଲୋଚନା କରିବାର ସୁଯୋଗ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ଭାରତ ଗ୍ଲୋବାଲ ସାଉଥର ସ୍ୱରକୁ ଏଜେଣ୍ଡାରେ ରଖିବାର ସୁଯୋଗ ପାଇଥିବାରୁ ଆମେ ଗର୍ବିତ । ଆଉ ଏହାର ସମସ୍ତ ଶ୍ରେୟ ଆପଣଙ୍କର ଦୃଢ଼ ସମର୍ଥନ ଏବଂ ଭାରତ ଉପରେ ଆପଣଙ୍କର ଦୃଢ଼ ବିଶ୍ୱାସ ଯୋଗୁଁ ସମ୍ଭବପର ହୋଇପାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜି-୨୦ ଶିଖର ସମ୍ମିଳନୀରେ ଯେଉଁ ସ୍ୱର ଉଠିଛି ତାହା ଆଗାମୀ ସମୟରେ ଏବଂ ଅନ୍ୟାନ୍ୟ ବୈଶ୍ୱିକ ମଞ୍ଚରେ ପ୍ରତିଫଳିତ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କର ବିଶ୍ୱାସ ରହିଛି ।
ପ୍ରଧାନମନ୍ତ୍ରୀ " ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ"ର ପ୍ରଥମ ଅଧିବେଶନରେ ଦେଇଥିବା ପ୍ରତିଶ୍ରୁତି ବିଷୟରେ ମଧ୍ୟ କହିଥିଲେ । ଆଉ ସେହି ସମସ୍ତ ପ୍ରତିଶ୍ରୁତି ସବୁ କ୍ଷେତ୍ରରେ ଅଗ୍ରଗତି ହୋଇଛି । ଯାହା ଗୋଟେ ଖୁସିର ଖବର । ଏହି ଅବସରରେ 'ସାଉଥ୍' ନାମରେ ଗ୍ଲୋବାଲ ସାଉଥ୍ ସେଣ୍ଟର ଅଫ୍ ଏକ୍ସଲେନ୍ସର ଶୁଭାରମ୍ଭ କରାଯାଇଛି । ଏହି କେନ୍ଦ୍ର ବିକାଶଶୀଳ ଦେଶଗୁଡ଼ିକର ବିକାଶମୂଳକ ପ୍ରସଙ୍ଗ ସମ୍ବନ୍ଧୀୟ ଗବେଷଣା ଉପରେ ଧ୍ୟାନ ଦେବ । ଏହି ପଦକ୍ଷେପ ଦ୍ୱାରା ଗ୍ଲୋବାଲ ସାଉଥରେ ମଧ୍ୟ ସମସ୍ୟାର ବ୍ୟବହାରିକ ସମାଧାନ ମିଳିପାରିବ ।
ଆରୋଗ୍ୟ ମୈତ୍ରୀ କାର୍ଯ୍ୟକ୍ରମ ଅଧୀନରେ ଭାରତ ମାନବିକ ସହାୟତା ପାଇଁ ଅତ୍ୟାବଶ୍ୟକ ଔଷଧ ଏବଂ ସାମଗ୍ରୀ ଯୋଗାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଗତ ମାସରେ ଆମେ ପାଲେଷ୍ଟାଇନକୁ ୭ଟନ୍ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯିବା ସହିତ ଗତ ନଭେମ୍ବର ୩ରେ ନେପାଳରେ ଭୂମିକମ୍ପ ପରେ ଭାରତ ମଧ୍ୟ ନେପାଳକୁ ୩ ଟନ୍ରୁ ଅଧିକ ଔଷଧ ସହାୟତା ପଠାଇଥିଲା । ଡିଜିଟାଲ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ନିଜର ସାମର୍ଥ୍ୟକୁ ଗ୍ଲୋବାଲ ସାଉଥ୍ ସହ ବାଣ୍ଟିବା ମଧ୍ୟ ଭାରତ ପାଇଁ ଆନନ୍ଦର ବିଷୟ ହେବ । ଗ୍ଲୋବାଲ-ସାଉଥ ବିଜ୍ଞାନ ଓ ପ୍ରଯୁକ୍ତି ପ୍ରୟାସ ଜରିଆରେ ଆମେ ଗ୍ଲୋବାଲ ସାଉଥରେ ଆମର ସହଯୋଗୀମାନଙ୍କୁ ସାମର୍ଥ୍ୟ ଏବଂ ଗବେଷଣା କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗ୍ରହୀ ।
"ପରିବେଶ ଏବଂ ଜଳବାୟୁ ପର୍ଯ୍ୟବେକ୍ଷଣ ପାଇଁ ଜି-୨୦ ଉପଗ୍ରହ ମିଶନ" ଦ୍ୱାରା ଜଳବାୟୁ ଏବଂ ପାଣିପାଗ ତଥ୍ୟ, ବିଶେଷକରି ଗ୍ଲୋବାଲ ସାଉଥର ଦେଶମାନଙ୍କ ସହିତ ବାଣ୍ଟିବା । ଗ୍ଲୋବାଲ୍ ସାଉଥ୍ ବୃତ୍ତି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ବହୁତ ଖୁସି ବୋଲି ଏହି ସମ୍ମିଳନୀରେ କହିଛନ୍ତି । ଏବେ ଗ୍ଲୋବାଲ୍ ସାଉଥ୍ ଦ୍ୱାରା ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ଭାରତରେ ଉଚ୍ଚଶିକ୍ଷା ପାଇଁ ଅଧିକ ସୁଯୋଗ ମିଳିବ । ପ୍ରଥମ ଥର ପାଇଁ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ର କ୍ୟାମ୍ପସ ମଧ୍ୟ ଚଳିତ ବର୍ଷ ତାଞ୍ଜାନିଆରେ ଖୋଲାଯାଇଛି । ଗ୍ଲୋବାଲ ସାଉଥରେ ଦକ୍ଷତା ବୃଦ୍ଧି ପାଇଁ ଏହା ଏକ ନୂତନ ପଦକ୍ଷେପ, ଯାହାକୁ ଅନ୍ୟ କ୍ଷେତ୍ରରେ ମଧ୍ୟ ବିସ୍ତାର କରାଯିବ । ଯୁବ କୂଟନୀତିଜ୍ଞମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାନୁଆରୀରେ ଗ୍ଲୋବାଲ-ସାଉଥ ଯୁବ କୁଟନୀତିଜ୍ଞ ମଞ୍ଚ ପାଇଁ ପ୍ରସ୍ତାବ ଦେଇଥିଲି। ଏହାର ପ୍ରାରମ୍ଭିକ ସଂସ୍କରଣ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ ଯେଉଁଥିରେ ଆମ ଦେଶର ଯୁବ କୂଟନୀତିଜ୍ଞମାନେ ଅଂଶଗ୍ରହଣ କରିବେ।
ଆସନ୍ତା ବର୍ଷଠାରୁ ଆମେ ଭାରତରେ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛୁ। ଯାହା ଗ୍ଲୋବାଲ ସାଉଥର ବିକାଶ ପ୍ରାଥମିକତା ଉପରେ ଧ୍ୟାନ ଦେବ । ଗ୍ଲୋବାଲ ସାଉଥର ଅଂଶୀଦାର ଗବେଷଣା କେନ୍ଦ୍ର ଓ ଥିଙ୍କଟ୍ୟାଙ୍କ ସହଯୋଗରେ 'ଦକ୍ଷିଣ' କେନ୍ଦ୍ର ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯିବ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେବ ଗ୍ଲୋବାଲ ସାଉଥର ବିକାଶମୂଳକ ସମସ୍ୟାର ବ୍ୟବହାରିକ ସମାଧାନ ଚିହ୍ନଟ କରିବା, ଯାହାଦ୍ୱାରା ଆମର ଭବିଷ୍ୟତ ସୁଦୃଢ଼ ହୋଇପାରିବ । ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ସାରା ଭାରତୀୟ ମାନଙ୍କର ଏକ ମିଳିତ ଆଗ୍ରହ ରହିଛି । ପଶ୍ଚିମ ଏସିଆର ଗମ୍ଭୀର ସ୍ଥିତି ଉପରେ ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ନିଜର ବିଚାର ବ୍ୟକ୍ତ କରିଥିଲେ । ବ୍ୟକ୍ତ କରୁଥିବା ସମସ୍ତ ସଙ୍କଟ ଗ୍ଲୋବାଲ ସାଉଥ୍ ଉପରେ ମଧ୍ୟ ବଡ଼ ପ୍ରଭାବ ପକାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେଣୁ ମିଳିତ ଉଦ୍ୟମରେ ଏକ ସ୍ୱରରେ, ଏକଜୁଟତାର ସହିତ ଏହି ସବୁ ପରିସ୍ଥିତିର ସମାଧାନ ଖୋଜିବା ଜରୁରୀ ।