ଇସ୍ରାଏଲ-ହାମାସ ଯୁଦ୍ଧର ପରିସ୍ଥିତି ଆଗାମୀ ଦିନରେ ବିଶ୍ଵ ଯୁଦ୍ଧର କାରଣ ସାଜିପାରେ ବୋଲି ସମସ୍ତେ ସନ୍ଦେହ କରୁଛନ୍ତି । ଏ ଯୁଦ୍ଧ ମଧ୍ୟରେ ଗୋଟେ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ହାଉତିମାନେ ଲୋହିତ ସାଗରରେ ତୁର୍କୀରୁ ଭାରତ ଆସୁଥିବା ଏକ ମାଲବାହୀ ଜାହାଜକୁ ଅପହରଣ କରିନେଇଛନ୍ତି । ଏମିତି ଏକ ଘଟଣା ଗତ ରବିବାରରେ ଘଟିଛି । ଅପହରଣ କରିଥିବା ଜାହାଜ ଇସ୍ରାଏଲର ବୋଲି ହାଉତିମାନେ ସୂଚନା ଦେଇଛନ୍ତି । ଏହି ଜାହାଜରେ ବିଭିନ୍ନ ଦେଶର ୨୫ ଜଣ କ୍ରୁ ସଦସ୍ୟ ଯାତ୍ରା କରୁଥିଲେ । ଜାହାଜକୁ ଅପହରଣ ପରେ ଜାହାଜରେ ଥିବା କ୍ରୁ ସଦସ୍ୟଙ୍କୁ ବନ୍ଧକ ରଖାଯାଇଥିଲା । ଆଉ ସେ ଜାହାଜର ନାମ ହେଉଛି " ଗାଲାକ୍ସି ଲିଡର " । ଜାହାଜ ଅପହରଣ ହେବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ହାଉତିମାନେ ଇସ୍ରାଏଲ-ହାମାସ ଯୁଦ୍ଧର ଆରମ୍ଭରୁ ଇସ୍ରାଏଲକୁ ବିରୋଧ କରୁଛନ୍ତି । ପ୍ରଥମେ " ଗାଲାକ୍ସି ଲିଡର " ଜାହାଜ ଉପରକୁ ହାଉତିମାନେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଗୁଳି ଚଳାଇଥିଲେ । ତା ପରେ ଜାହାଜକୁ ହାଉତିମାନେ ନିଜର ଅକ୍ତିଆରକୁ ଆଣିଥିଲେ । ପରେ ହାଉତିମାନେ ସମ୍ପୂର୍ଣ ଜାହାଜ ସହିତ ଯାତ୍ରାକରୁଥିବା ସମସ୍ତ କ୍ରୁ ସଦସ୍ୟଙ୍କୁ ଅଟକ ରଖିଥିଲେ । ହାଉତିମାନେ କହିଛନ୍ତି ଯେ, ସେମାନେ ହାମାସ ସହ ଅଛନ୍ତି । ଭାରତକୁ ଆସୁଥିବା ଜାହାଜରେ ଇସ୍ରାଏଲ ବ୍ୟବସାୟୀଙ୍କର କିଛି ଅଂଶ ଥିବାରୁ ସେମାନେ ଜାହାଜକୁ ଅଟକ ରଖିଛନ୍ତି ।
ହାଉତିମାନେ ଜାହାଜକୁ ଅପହରଣ କରିବା ପରେ ଲୋହିତ ସାଗରରେ ବିଭିନ୍ନ ଜାହାଜ ଚଳାଚଳ ପାଇଁ ବାଧା ସୃଷ୍ଟି ହୋଇଛି । ଅପହରଣ ହୋଇଥିବା ଜାହାଜକୁ ଜାପାନର ଏକ କମ୍ପାନୀ ଲିଜରେ ନେଇଥିଲା ଏବଂ ଏହା ଏକ ବ୍ରିଟିଶ କମ୍ପାନୀର ମାଲିକାନା ବୋଲି ସୂଚନା ଭୁକ୍ତ । ହାଉତିମାନେ ଜାହାଜକୁ ଅପହରଣ କରିବାର କାରଣ ଦର୍ଶାଇ କହିଛନ୍ତି ଯେ, ଇସ୍ରାଏଲ ପାଲେଷ୍ଟାଇନର ଗାଜା ଉପରକୁ ଆକ୍ରମଣର କରିବାର ପ୍ରତିଶୋଧ ନେବାପାଇଁ ଜାହାଜକୁ ଅପହରଣ କରିଛନ୍ତି । ପୁଣି କହିଛନ୍ତି ଯେ, ଏ କାର୍ଯ୍ୟ ଆରମ୍ଭ ମାତ୍ର । ଭବିଷ୍ୟତକୁ ଆହୁରି ସ୍ଥିତି ଗମ୍ଭୀର ହୋଇପାରେ ବୋଲି ମଧ୍ୟ କହିଛନ୍ତି ।