ଆଦି କୈଳାସ ଦର୍ଶନ ପାଇଁ ହେଲିକପ୍ଟର ସେବା ଆରମ୍ଭ । ହିନ୍ଦୁମାନଙ୍କର ପବିତ୍ର ଧାର୍ମିକ ସ୍ଥଳ କୈଳାଶ ଏବଂ ଓମ୍ ପର୍ବତ ଦର୍ଶନ କରିବାପାଇଁ ଶ୍ରଦ୍ଧାଳୁମାନେ ହେଲିକପ୍ଟରର ସୁବିଧା ପାଇବେ । ତୀର୍ଥଯାତ୍ରୀ ମାନଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଦି କୈଳାସ ଦର୍ଶନ ପାଇଁ ହେଲିକପ୍ଟର ସେବାର ପ୍ରଥମ ଦିନରେ ୧୬ ଜଣ ତୀର୍ଥଯାତ୍ରୀ ଦର୍ଶନ କରିଛନ୍ତି ।
ହେଲିକପ୍ଟର ଜରିଆରେ କୈଳାଶ ଏବଂ ଓମ୍ ପର୍ବତ ଏହି ଦୁଇ ଧାର୍ମିକ ସ୍ଥଳକୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଦିଲ୍ଲୀ ଓ ହରିୟାଣାରୁ ୧୬ ଜଣ ତୀର୍ଥଯାତ୍ରୀ ସର୍ବପ୍ରଥମେ ହେଲିକପ୍ଟର ଦ୍ୱାରା ଯାଇ ଦର୍ଶନ କରିଛନ୍ତି । ଏହି ଯାତ୍ରାରେ ୯ ଜଣ ପୁରୁଷ ଓ ୭ ଜଣ ମହିଳା ସାମିଲ ଥିଲେ । ଆଦି କୈଳାସ ଓ ଓମ୍ ପର୍ବତକୁ ଦର୍ଶନ କରି ତୀର୍ଥଯାତ୍ରୀମାନେ ବେଶ ଖୁସି ଅନୁଭବ କରିଛନ୍ତି ।
ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ପିଥୋରାଗଡରେ ପର୍ଯ୍ୟଟନର ବିକାଶ ପାଇଁ ରୁଦ୍ରାକ୍ଷ ଏଭିଏସନ ପ୍ରାଇଭେଟ ଲିମିଟେଡ, ଟ୍ରିପ୍ ଟୁ ଟେମ୍ପଲ ଓ କୁମାଉଁ ମଣ୍ଡଳ ବିକାଶ ନିଗମର ସହଯୋଗରେ ସୋମବାର ଠାରୁ ଏକ ଦିବସୀୟ ହେଲିକପ୍ଟର ଦର୍ଶନ ସେବା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପିଥୋରାଗଡର ନୈନି ସୈନୀ ଏୟାରପୋର୍ଟରେ ତୀର୍ଥ ଯାତ୍ରୀମାନେ ପହଞ୍ଚିଥିଲେ । ଏହି ଯାତ୍ରାକୁ ସୁରକ୍ଷାର ସହ ସମ୍ପନ୍ନ କରିବା ପାଇଁ ତୀର୍ଥ ଯାତ୍ରୀମାନେ ଶିବଭକ୍ତିରେ ନିମଗ୍ନ ହୋଇ ଏୟାରପୋର୍ଟରେ ବମ ବମ ଭୋଲେର ନାରା ଦେଇଥିଲେ । ଏହା ପରେ ହେଲିକପ୍ଟର ଦ୍ୱାରା ଯାତ୍ରା ଆରମ୍ଭ କରିଥିଲେ ।
ଅଧିକ ପଢନ୍ତୁ :ଖୋଲିଲା ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ