ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ଅନିୟମିତତା ଓ ପେପର ଲିକ ବିବାଦକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ଆଜି ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି । ଗୋଟିଏ ପଟେ ଦିଲ୍ଲୀର ସଡକ ଉପରେ ହଜାର ସଂଖ୍ୟକ ଯୁବ ପିଢିଙ୍କ ଚାଲୋ ସଂସଦ ରାଲି ବାହାର କରୁଥିବା ବେଳେ ଅନ୍ୟ ପଟେ ସରକାର ଓ କକରୋଚ ଜନତା ପାର୍ଟିର ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନାର ରାସ୍ତା ଖୋଲିବାକୁ ଯାଉଛି ।
ଜୁନ ୨୮ରୁ ଜନ୍ତର ମନ୍ତରରେ ଜାରି ଏହି ଆନ୍ଦୋଳନର ୨୧ତମ ଦିନରେ ପ୍ରଥମ ଥର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ଡକାଇଛନ୍ତି । ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ଓ ଆଶୁତୋଷ ରାଙ୍କା ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି ଯେ, ସରକାରଙ୍କଠୁ ନିମନ୍ତ୍ରଣ ପାଇ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବାକୁ ଯାଉଛୁ ।
ସିଜେପି ମୁଖପାତ୍ର ସୌରଭ ଦାସ କହିଛନ୍ତି, ଆଶୁତୋଷ ରାଙ୍କା ଏବଂ ମୁଁ କକରୋଚ ଜନତା ପାର୍ଟି ପକ୍ଷରୁ ଜେପି ନଡ୍ଡାଙ୍କୁ ଭେଟିବାକୁ ଯାଉଛୁ । ସରକାର ଆଜି ସକାଳେ ଆଲୋଚନା ପାଇଁ ଆମ ସହ ଯୋଗାଯୋଗ କରିଥିଲେ । ଆମର ଦାବି ସଂପୂର୍ଣ୍ଣ ସ୍ପଷ୍ଟ ଅଛି । ଜନ୍ତର ମନ୍ତରରେ ଯୁବ ପିଢି ବହୁଳ ମାତ୍ରାରେ ଜୁଟିଛନ୍ତି । ଆମେ ଏହି ଲଢେଇ ନିଶ୍ଚିତ ଜିତିବୁ ।
ଏହା ପୂର୍ବରୁ ଆଲୋଚନା ପାଇଁ ଦିଲ୍ଲୀ ପୋଲିସର ଡିସିପି ସଚିନ ଶର୍ମା ସରକାରଙ୍କ ପକ୍ଷରୁ ମଧ୍ୟସ୍ଥତା କରୁଥିଲେ । ସୂତ୍ର ଅନୁସାରେ ପ୍ରଥମେ ସିଜେପି ପ୍ରତିନିଧିଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ, ସଚିବ ସ୍ତରର ଅଧିକାରୀ ଏବଂ ପୁଣି ରାଷ୍ଟ୍ର ମନ୍ତ୍ରୀଙ୍କ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସିଜେପି ପକ୍ଷରୁ ଖାରଜ କରାଯାଇଥିଲା । ସିଜେପି ଦାବି କରିଥିଲା ଯେ, ଆଲୋଚନା ସିଧାସଳଖ ପ୍ରଧାନମନ୍ତ୍ରୀ କିମ୍ବା କ୍ୟାବିନେଟ୍ ମନ୍ତ୍ରୀ ସ୍ତରରେ ହେଉ । ଏହା ପରେ ଜେପି ନଡ୍ଡାଙ୍କ ସହ ଆଲୋଚନା ପାଇଁ ସ୍ଥିର ହୋଇଛି ।
Also Read: ମୌସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ଉଭୟ ଗୃହରେ ଉଠିଲା ଦାନ ଚୋରି ପ୍ରସଙ୍ଗ, ଗୃହ ମୁଲତବୀ