ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଯାହା ଆଶା କରାଯାଉଥିଲା ତାହାଁହି ପ୍ରଥମ ଦିନରେ ପ୍ରତିଫଳିତ ହୋଇଛି । ଗୃହ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପ୍ରଥମାର୍ଦ୍ଧ ଧୋଇଯାଇଛି । ବାଚସ୍ପତି ଗୃହ କାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ସଂସଦର ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭାରେ ଜାତୀୟ ସଙ୍ଗୀତ ସହିତ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପୂର୍ବତନ ସଦସ୍ୟଙ୍କ ପରଲୋକ ବିଷୟରେ ଗୃହକୁ ସୂଚନା ଦେଇଥିଲେ। ବାଚସ୍ପତି ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶୋକ ପ୍ରସ୍ତାବ ପରେ ବିରୋଧୀ ଦଳଗୁଡ଼ିକ ଲୋକସଭାରେ ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ, ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଜୋରଦାର ହଙ୍ଗାମା କରିଥିଲେ । ଦାନ ଅପବ୍ୟବହାର ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି ଉପସ୍ଥାପନ କରିଥିଲେ। ବିରୋଧୀ ସଦସ୍ୟମାନେ ନାରାବାଜି କରିବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ।
ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିରୋଧୀ ସଦସ୍ୟମାନଙ୍କୁ ଗୃହର ପରମ୍ପରା ପାଳନ କରିବାକୁ ଅପିଲ୍ କରିଥିଲେ । ବାଚସ୍ପତି କହିଥିଲେ ଯେ ପ୍ଲାକାର୍ଡ ହଲାଇବା ଗୃହର ପରମ୍ପରା ସହିତ ସଙ୍ଗତ ନୁହେଁ। ପ୍ରଶ୍ନକାଳକୁ ଆଗକୁ ବଢ଼ାଇବାକୁ ଅନୁରୋଧ କରିବା ସତ୍ତ୍ୱେ ବିରୋଧୀ ନିଜ ଜିଦରେ ଅଟଳ ରହିଥିଲେ । ଲୋକସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟ ହୋଇପାରିଲା ନାହିଁ। ବାଚସ୍ପତି ଦିନ ୧୨:୦୦ ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ସ୍ଥଗିତ ଘୋଷଣା କରିଥିଲେ।
ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଦାନ ଚୋରି ଏବଂ ନିଟ୍ ପେପର୍ ଲିକ୍ ପ୍ରସଙ୍ଗ ଉଠାଇଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହର ଅଧ୍ୟକ୍ଷ ସିପି ରାଧାକ୍ରୀଷ୍ଣନ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।