ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍ ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ଏବଂ ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ପ୍ରସ୍ତାବ ପାରିତ କରିଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀ ବିସ୍ଫୋରଣକୁ ଏକ ଆତଙ୍କବାଦୀ ଆକ୍ରମଣ ଭାବେ ବିବେଚନା କରିଛନ୍ତି। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଘଟଣାରେ ଦାୟୀ ଲୋକଙ୍କ ବିରୁଦ୍ଧରେ ଯଥାସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ପ୍ରସ୍ତାବ ଉପରେ କହିଛନ୍ତି, ନଭେମ୍ବର ୧୦ ତାରିଖରେ ଲାଲକିଲ୍ଲା ନିକଟରେ ଦେଶ ବିରୋଧୀ ଶକ୍ତିମାନେ ଏକ କାର ବୋମା ବିସ୍ଫୋରଣ କରିଥିଲେ। ଏହା ଏକ ଜଘନ୍ୟ ଆତଙ୍କବାଦୀ ଘଟଣା। ଏହି ଆତଙ୍କବାଦୀ ଆକ୍ରମଣର ତୁରନ୍ତ ତଦନ୍ତ ପାଇଁ କ୍ୟାବିନେଟ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଦ୍ୱାରା ଅପରାଧୀ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ଚିହ୍ନଟ କରାଯାଇ ଅବିଳମ୍ବେ ନ୍ୟାୟ ଦିଆଯାଇପାରିବ।
ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା: ଅଶ୍ୱିନୀ ବୈଷ୍ଣବ
ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ଶୂନ୍ୟ ସହନଶୀଳତାର ନୀତି ଜାରି ରଖିଛନ୍ତି। ଜାତୀୟ ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପ୍ରତି ସରକାର ପ୍ରତିବଦ୍ଧ ଅଛନ୍ତି। ସମସ୍ତ ଭାରତୀୟଙ୍କ ଜୀବନ ଏବଂ କଲ୍ୟାଣକୁ ସୁରକ୍ଷା ଦେବା ପାଇଁ ସରକାର ସଂକଳ୍ପ ନେଇଛନ୍ତି।
ଲାଲକିଲ୍ଲା ନିକଟରେ ବିସ୍ଫୋରଣ ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା କ୍ୟାବିନେଟ କମିଟି (CCS) ବୈଠକ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୈଠକରେ ଯୋଗ ଦେଇଥିଲେ। ସୁରକ୍ଷା ଏଜେନ୍ସିର ରିପୋର୍ଟ ଏବଂ ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରାଯାଇଥିଲା।
ସୂଚନାଯୋଗ୍ୟ, ସୋମବାର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ଆଖପାଖ ଅନେକ କାର ଜଳି ଯାଇଥିଲା। ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭୂଟାନ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପ୍ରକାଶ ନାରାୟଣ ହସ୍ପିଟାଲ୍ ଯାଇ ଆହତଙ୍କୁ ଭେଟିଛନ୍ତି। ଏହି ଘଟଣାରେ ଏଏନଆଇଏ ତଦନ୍ତ କରୁଛି। ମୋଟ୍ ୧୪ ଜଣଙ୍କୁ ଗିରଫ କରାଗଲାଣି।
Also read: ମିଳିଲା ଆତଙ୍କୀ କାର୍ ଇକୋସ୍ପୋର୍ଟ