ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଖୋଜୁଥିବା ଆଉ ଏକ ନାଲି ରଙ୍ଗର ଆତଙ୍କୀ କାର୍ ଜବତ ହୋଇଛି । ଫରିଦାବାଦର ଖନ୍ଦାବଲୀ ଗ୍ରାମ ନିକଟକୁ ଉକ୍ତ କାରକୁ ହରିୟାଣା ପୋଲିସ ଜବତ କରିଥିବା ସ୍ପଷ୍ଟ କରିଛି । ଦିଲ୍ଲୀ ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାକୁ ଏ ବାବଦରେ ସୂଚିତ କରାଯିବା ସହିତ କାରକୁ ବର୍ତ୍ତମାନ ଫରେନସିକ ଟିମକୁ ହସ୍ତାନ୍ତର କରାଯାଇଥିବା ହରିୟାଣା ପୋଲିସ କହିଛି ।
ଦିଲ୍ଲୀ ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ଆଇ-୨୦ ସହିତ ଏକ ନାଲି ରଙ୍ଗର ଫୋର୍ଡ ଇକୋସ୍ପୋର୍ଟ ଡିଏଲ୍୧୦ସିକେ୦୪୫୮ (DL10CK0458), କାର ଠାବ କରାଯାଇଥିଲା । ୨୦୧୭ ନଭେମ୍ବର ୨୨ରେ ରଜୌରୀ ଗାର୍ଡେନ ଆରଟିଓରେ ଉମର୍ ଉନ ନବୀ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଉକ୍ତ କାର ପଞ୍ଜିକରଣ ହୋଇଛି । ଏହି ଉମର ନବୀ ଓରଫ୍ ଡାକ୍ତର ଉମର ମହମ୍ମଦ ନାମରେ କିଣା ଯାଇଛି । ଉମର୍ ଏହି କାରକୁ କିଣିବାକୁ ଜାଲ୍ ପ୍ରମାଣ ପତ୍ର ଦେଇଛି । ଉତ୍ତର ପୂର୍ବ ଦିଲ୍ଲୀର ଏକ ଘରର ଠିକଣା ଦେଇଛି । ଦିଲ୍ଲୀ ପୋଲିସ ସେଠାରେ ମଧ୍ୟ ଚଢ଼ଉ କରିଛି ।
ଦିଲ୍ଲୀ ପୋଲିସ ଉକ୍ତ କାରକୁ ନେଇ ତଲାସି ଅଭିଯାନ ଜାରି ରଖିଥିଲା । ଏଥିପାଇଁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଉତ୍ତର ପ୍ରଦେଶ ଏବଂ ହରିୟାଣା ପୋଲିସକୁ ମଧ୍ୟ ସତର୍କ କରାଯାଇଥିଲା ।